ଜୈବ ଜୈବିକ ପ୍ରଣାଳୀରେ କୃଷିକାର୍ଯ୍ୟ ନିମନ୍ତେ ମାର୍ଗ ଦର୍ଶନ ଓ ପ୍ରୋତ୍ସାହନ ସଭା ପ୍ରହସନ
ଚମ୍ପୁଆ, 22 ଏପ୍ରିଲ୍ (ହି.ସ.): ଫାର୍ମସ ଟ୍ୟୁଟର ନାମକ ସ୍ବେଛାସେବୀ ସଂଗଠନ ଓ ଉମା ଶଙ୍କର ସବୁଜ ଦୁନିଆ ଲିମିଟେଡ଼ ଆନୁକୂଲ୍ୟରେ ଚମ୍ପୁଆ ବ୍ଲକର ବିଭିନ୍ନ ପଞ୍ଚାୟତ ମାନଙ୍କରେ କରାଯାଉଥିବା ଜୈବ ଜୈବିକ ପ୍ରଣାଳୀରେ କୃଷିକାର୍ଯ୍ୟ ନିମନ୍ତେ ମାର୍ଗ ଦର୍ଶନ ଓ ପ୍ରୋତ୍ସାହନ ସଭା ଗୁଡିକରେ ଅବ୍ୟବସ୍ଥା ଦେଖିବ
ଜୈବ ଜୈବିକ ପ୍ରଣାଳୀରେ କୃଷିକାର୍ଯ୍ୟ ନିମନ୍ତେ ମାର୍ଗ ଦର୍ଶନ ଓ ପ୍ରୋତ୍ସାହନ ସଭା ପ୍ରହସନ


ଚମ୍ପୁଆ, 22 ଏପ୍ରିଲ୍ (ହି.ସ.): ଫାର୍ମସ ଟ୍ୟୁଟର ନାମକ ସ୍ବେଛାସେବୀ ସଂଗଠନ ଓ ଉମା ଶଙ୍କର ସବୁଜ ଦୁନିଆ ଲିମିଟେଡ଼ ଆନୁକୂଲ୍ୟରେ ଚମ୍ପୁଆ ବ୍ଲକର ବିଭିନ୍ନ ପଞ୍ଚାୟତ ମାନଙ୍କରେ କରାଯାଉଥିବା ଜୈବ ଜୈବିକ ପ୍ରଣାଳୀରେ କୃଷିକାର୍ଯ୍ୟ ନିମନ୍ତେ ମାର୍ଗ ଦର୍ଶନ ଓ ପ୍ରୋତ୍ସାହନ ସଭା ଗୁଡିକରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି କରଞ୍ଜିଆ ପଞ୍ଚାୟତ । ଏହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଭା କରିବା ପାଇଁ ସଂସ୍ଥା ପକ୍ଷରୁ ସରପଞ୍ଚଙ୍କୁ ତ ଅବଗତ କରାଗଲା କିନ୍ତୁ ସଭା ସମ୍ପର୍କିତ କୌଣସି ସୂଚନା କୃଷି ବିଭାଗକୁ ଦେଇ ନ ଥିବା ଜଣା ପଡିଛି। ସଭାକୁ ପରିଚାଳନା କରୁଥିବା କର୍ମଚାରୀ ଓ ଅଧିକାରୀ ମାନେ ଚମ୍ପୁଆ ବ୍ଲକର କୃଷି ଅଧିକାରୀ କିମ୍ବା ପଞ୍ଚାୟତ ଦାୟିତ୍ୱରେ ଥିବା କୃଷି ଅଧିକାରୀ, କର୍ମଚାରୀ, କୃଷକ ସାଥି କାହାରିକି କୌଣସି ସୂଚନା ନ ଦେଇ ସଭାକାର୍ଯ୍ୟ କରୁଥିବାରୁ ଏମାନେ ଚାଷୀଙ୍କୁ କଣ ପରାମର୍ଶ ଦେଉଛନ୍ତି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା । ତା ସହିତ ସଭା କାର୍ଯ୍ୟର କୌଣସି ସମୟସୀମା ମଧ୍ୟ ରହୁ ନ ଥିବା ଦେଖିବାକୁ ମିଳିଛି। ଚାଷୀଙ୍କୁ ସକାଳ ନଅ ଟା ସମୟରେ ସଭା ହେବ କହି ଡାକି ଦିଆଯାଇଥିବା ବେଳେ ଦିନ ବାର ଟା ପର୍ଯ୍ୟନ୍ତ ଫାର୍ମସ ଟ୍ୟୁଟର ନାମକ ସ୍ବେଛାସେବୀ ସଂଗଠନ କିମ୍ବା ଉମା ଶଙ୍କର ସବୁଜ ଦୁନିଆ ଲିମିଟେଡ଼ର କୌଣସି ଅଧିକାରୀ, କର୍ମଚାରିଙ୍କର ଦେଖା ଦର୍ଶନ ମିଳି ନ ଥିଲା। କେବଳ କ୍ଷମା ମାଝୀ ନାମକ ଜଣେ ଜିଲ୍ଲା କୋଡିନେଟର ଉପସ୍ଥିତ ଥିଲେ । ତେବେ ଚମ୍ପୁଆରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ୩୮ଡିଗ୍ରୀ ରୁ ୪୦ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଗରମରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଛି। ଅଞ୍ଚଳରେ ଅଂଶୁଘାତ ଜନିତ ସମସ୍ୟା ମଧ୍ୟ ଉପୁଜୁଛି। ଏ କ୍ଷେତ୍ରରେ ସକାଳ ନଅ ଟାରୁ ଲୋକଙ୍କୁ ଡାକିଦେଇ ଦିନ ବାର ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇ ନ ଥିବାରୁ ଧୁ ଧୁ ଖରା ଗରମରେ ଲୋକେ ସିଝୁ ଥିଲେ । ଏହି ଭୀଷଣ ଖରା ଗରମରେ ଯଦି କୌଣସି ଚାଷୀଙ୍କର କିଛି କ୍ଷତି ଘଟିଥାନ୍ତା ତେବେ ଏଥିପାଇଁ କିଏ ଦାୟି ହୁଅନ୍ତା ? ଅଂଶୁଘାତ ଜନିତ ସମସ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ କଡା ନିତି ନିୟମ ରହିଥିବା ବେଳେ ଏଠାରେ ଉକ୍ତ ସଂସ୍ଥା ପରିଚାଳକ ମାନେ ତାକୁ ଖୋଲା ଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳିଛି । ଫଳରେ ସରପଞ୍ଚ ସୁପ୍ରିୟା ମୁଣ୍ଡା ସଂସ୍ଥାର ଏପରି ବେପରୁଆ କାର୍ଯ୍ୟକ୍ରମ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ଉପସ୍ଥିତ ଥିବା ସଂସ୍ଥାର ଜିଲ୍ଲା କୋଡିନେଟର କ୍ଷମା ମାଝୀଙ୍କୁ ଦାଗିଦ କରିଥିଲେ । ତେବେ ଏହିପରି ସଂସ୍ଥା ଗୁଡିକ ବିଭିନ୍ନ ସମୟରେ ଗ୍ରାମାଞ୍ଚଳରେ ବୁଲି ବୁଲି ଜଣେ ଦୁଇଜଣ ଯୁବକଙ୍କୁ ହାତ କରି ବେନିୟମ ଭାବେ ସଭା ସମିତି କରି ନିଜର କାର୍ଯ୍ୟହାସଲ କରି ଚାଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏମାନଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ ଏବଂ କୃଷି ବିଭାଗ ପକ୍ଷରୁ କଡା ନଜର ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande