ମାଲକାନଗିରିରେ ପର୍ବତାରୋହୀ ସମୀରା ଖାନ୍,ଏଚପିଭି ଟୀକାକରଣ ଓ ମହିଳା ସଶକ୍ତିକରଣ ପାଇଁ ବାର୍ତ୍ତା
ମାଲକାନଗିରି , ୨୨ ଏପ୍ରିଲ୍ (ହି.ସ.) - ଜିଲ୍ଲାର କିଶୋରୀ ବାଳିକା ଓ ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ବିଶିଷ୍ଟ ପର୍ବତାରୋହୀ ତଥା ସମାଜସେବୀ ସମୀରା ଖାନ୍। ଆଜି ପୂର୍ବାହ୍ନରେ ସେ ମାଲକାନଗିରି ଜିଲ୍ଲାର ଚାଲାଣଗୁଡା ଓ ସିନ୍ଧ୍ରିମା
ମାଲକାନଗିରିରେ ପର୍ବତାରୋହୀ ସମୀରା ଖାନ୍,ଏଚପିଭି ଟୀକାକରଣ ଓ ମହିଳା ସଶକ୍ତିକରଣ ପାଇଁ ବାର୍ତ୍ତା


ମାଲକାନଗିରିରେ ପର୍ବତାରୋହୀ ସମୀରା ଖାନ୍,ଏଚପିଭି ଟୀକାକରଣ ଓ ମହିଳା ସଶକ୍ତିକରଣ ପାଇଁ ବାର୍ତ୍ତା


ମାଲକାନଗିରି , ୨୨ ଏପ୍ରିଲ୍ (ହି.ସ.) - ଜିଲ୍ଲାର କିଶୋରୀ ବାଳିକା ଓ ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ବିଶିଷ୍ଟ ପର୍ବତାରୋହୀ ତଥା ସମାଜସେବୀ ସମୀରା ଖାନ୍। ଆଜି ପୂର୍ବାହ୍ନରେ ସେ ମାଲକାନଗିରି ଜିଲ୍ଲାର ଚାଲାଣଗୁଡା ଓ ସିନ୍ଧ୍ରିମାଲ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ବାଳିକାମାନଙ୍କୁ ସ୍ୱାସ୍ଥ୍ୟ ଓ ସୁରକ୍ଷା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। ବିଶେଷ କରି ସର୍ଭାଇକାଲ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ଏଚପିଭି ଟୀକା ର ଆବଶ୍ୟକତା ଏବଂ ଲିଙ୍ଗ ଭିତ୍ତିକ ଭେଦଭାବ ଦୂର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ସେ ଯୋଗ ଦେଇଥିଲେ। ସମୀରା ଖାନ୍ ନିଜ ବକ୍ତବ୍ୟରେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସମାଜର ପ୍ରକୃତ ସ୍ୱାସ୍ଥ୍ୟ ଯୋଦ୍ଧା ଭାବେ ବର୍ଣ୍ଣନା କରି ସେମାନଙ୍କ ନିଷ୍ଠାପର କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ, ଯେମିତି ପାହାଡ଼ ଚଢ଼ିବା ପାଇଁ ସାହସ ଦରକାର, ନିଜ ଜୀବନକୁ ସୁରକ୍ଷିତ ରଖିବା ପାଇଁ ସେମିତି ସଚେତନତା ଜରୁରୀ। ଏଚପିଭି ଟୀକା ହେଉଛି ଆମ ଝିଅମାନଙ୍କ ପାଇଁ ଏକ ସୁରକ୍ଷା କବଚ, ଯାହା ସେମାନଙ୍କୁ ଭବିଷ୍ୟତରେ କର୍କଟ ରୋଗରୁ ରକ୍ଷା କରିବ। ଆମର ଆଶା ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ପ୍ରଚେଷ୍ଟା ଯୋଗୁଁ ହିଁ ଏହି ସୂଚନା ପ୍ରତିଟି ଘରେ ପହଞ୍ଚି ପାରୁଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଡୋଳାମଣି ପ୍ରଧାନ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଏମଏମ ଆବିଦ ହୁସେନ୍, ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ ଏବଂ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଡ଼ା ମୌସୁମୀ ମିଶ୍ର ଉପସ୍ଥିତ ରହି ଏହି ଟୀକାକରଣ ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ସମୀରା ଖାନ୍ ଜଣେ ଜଣାଶୁଣା ପର୍ବତାରୋହୀ ଯିଏ ୩୭ଟି ଦେଶ ଭ୍ରମଣ କରିବା ସହ ୧୧ଟି ପ୍ରମୁଖ ପର୍ବତ ଶୃଙ୍ଗ ଆରୋହଣ କରି ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରସାର କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande