ଜୟଦେବଙ୍କ ପୀଠରେ ଅଶ୍ଲୀଳ ନୃତ୍ୟ ଫେରାଦ୍ ହେଲେ ସନ୍ଥ ସମାଜ
ଖୋର୍ଦ୍ଧା, ୨୪ ଏପ୍ରିଲ୍(ହି.ସ.) – ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା କେନ୍ଦୁବିଲ୍ୱ ସ୍ଥିତ ଜୟଦେବଙ୍କ ପୀଠରେ ଯାତ୍ରା ପାର୍ଟି ଓ ଲଙ୍ଗଳା ନୃତ୍ୟକୁ କେନ୍ଦ୍ର କରି ଉଠିଛି ଝଡ଼। ଏହା ବିରୋଧରେ ସନ୍ଥ ସମାଜ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଫେରାଦ୍ ହୋଇଛନ୍ତି। ଜୟଦେବ ହେଉଛନ୍ତି ଆମ ଜଗନ୍ନାଥ ସଂସ୍
Aslil


ଖୋର୍ଦ୍ଧା, ୨୪ ଏପ୍ରିଲ୍(ହି.ସ.) – ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା କେନ୍ଦୁବିଲ୍ୱ ସ୍ଥିତ ଜୟଦେବଙ୍କ ପୀଠରେ ଯାତ୍ରା ପାର୍ଟି ଓ ଲଙ୍ଗଳା ନୃତ୍ୟକୁ କେନ୍ଦ୍ର କରି ଉଠିଛି ଝଡ଼। ଏହା ବିରୋଧରେ ସନ୍ଥ ସମାଜ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଫେରାଦ୍ ହୋଇଛନ୍ତି। ଜୟଦେବ ହେଉଛନ୍ତି ଆମ ଜଗନ୍ନାଥ ସଂସ୍କୃତିର କର୍ଣ୍ଣଧାର। ତାଙ୍କର ଏ ପବିତ୍ର ମାଟିରେ ଏଭଳି ଅଶୋଭନୀୟ ନୃତ୍ୟ ଆଦୌ ଶୁଭନୀୟ ନୁହେଁ। ତେଣୁ, ତୁରନ୍ତ ନାଚ ବନ୍ଦ କରିବାକୁ ସନ୍ଥ ସମାଜ ଦାବି କରି ଆଜି ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ୍ ହୋଇଛି। ସ୍ଥାନୀୟ ସରପଂଚ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ନେତୃତ୍ୱରେ ସନ୍ଥ ସମାଜ ଆଜି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କୁ ଭେଟିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଏଭଳି ଅଭଦ୍ର ନୃତ୍ୟ ଗଲାକାଲିଠାରୁ ଆରମ୍ଭ ହୋଇ ସାରିଛି। ଜୟଦେବଙ୍କ ପୀଠ ହେଉଛି ସଂସ୍କୃତି ବିଭାଗର। କାହା ଠାରୁ ଅନୁମତି ନନେଇ ପୀଠର ପାଚେରିକୁ ଭାଙ୍ଗି ଦିଆଯାଇଛି। ତା’ ମଧ୍ୟରେ ମଦ, ମାଂସର ଆସର ଜମାଇ ସଂସ୍କୃତି ନାଁରେ ଅପସଂସ୍କୃତିକୁ ପ୍ରୋତ୍ସାହିତ କରାଯାଉଛି। ଯାହାକୁ କଦାବି ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି କି, ଗତକାଲି ଯାତ୍ରା ଆରମ୍ଭ ହେବା ପୂର୍ବରୁ ବି ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତା’ ସତ୍ୱେ ଗତକାଲି ରାତିରେ ଯାତ୍ରା ଚାଲିଥିଲା। ଅଭିଯୋଗ ମୁତାବକ, ଯାତ୍ରା ପାଇଁ ଅନ୍ୟୁନ ସ୍ଥାନର ଅନୁମତି ଲୋଡ଼ା। ଏ ସ୍ଥାନ ହେଉଛି ସଂସ୍କୃତି ବିଭାଗର। ସଂସ୍କୃତି ବିଭାଗଠାରୁ କୌଣସି ଅନୁମତି ନ ନେଇ କେମିତି ଯାତ୍ରା ଆୟୋଜନ କରାଯାଇଛି ବୋଲି ସମାଜ ପକ୍ଷରୁ ସ୍ୱାମୀ ଆନନ୍ଦରାଜା, ଭାବଗ୍ରାହୀ ଗୋସାଇଁ, ଅର୍ଦ୍ଧେନ୍ଦୁ ଶେଖର ଦାସ, ଅଶୋକ କୁମାର ଦାଶ, ସ୍ୱାମୀ ଆଦିତ୍ୟାନନ୍ଦାଚାର୍ଯ୍ୟ, ପ୍ରଶାନ୍ତ କୁମାର ଦାସ, ବିଷ୍ଣୁ ଚରଣ ଦାଶ, ଅଜୟ କୁମାର ପରିଜା, ସ୍ୱାମୀ ଆନନ୍ଦ ଶଙ୍କର ପ୍ରମୁଖ ପ୍ରଶ୍ନ କରିଛନ୍ତି। ବିନା ଅନୁମତିରେ ଯାତ୍ରା ଆୟୋଜନ କରାଯାଇଥିଲେ ତାକୁ ବନ୍ଦ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପ୍ରତିଶ୍ରୁତି ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande