
ବେଙ୍ଗାଲୁରୁ,୨୫ ଏପ୍ରିଲ୍(ହି.ସ.) – କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ବେଙ୍ଗାଲୁରୁର ବିଇଏମଏଲ୍ ଟିପ୍ପାସାନ୍ଦ୍ରା କ୍ୟାମ୍ପସ ପରିଦର୍ଶନ କରି ହାଇ-ସ୍ପିଡ୍ ରେଳ ନିର୍ମାଣ ପାଇଁ ଉତ୍ସର୍ଗୀକୃତ ଏକ ସ୍ୱତନ୍ତ୍ର କମ୍ପେ୍ଲକ୍ସ, ଆଦିତ୍ୟକୁ ଉଦଘାଟନ କରିଛନ୍ତି। ଏହି ଗସ୍ତ ସମୟରେ, ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ହାଇ-ସ୍ପିଡ୍ ରେଳ ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ସୂକ୍ଷ୍ମ ଏବଂ ଜଟିଳ। ଆମ ଦେଶ ମଧ୍ୟରେ ଏହାର ବିକାଶ ସ୍ୱଦେଶୀ ଇଞ୍ଜିନିୟରିଂ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ନୂତନ ଭାବରେ ଉଦ୍ଘାଟିତ ଆଦିତ୍ୟ କମ୍ପେ୍ଲକ୍ସ ବି-୨୮ କୋଚ୍ ବିକାଶ ପାଇଁ ଡିଜାଇନ୍ କରାଯାଇଛି।
ହାଇ-ସ୍ପିଡ୍ ଟ୍ରେନର ପରିବର୍ତନକାରୀ ଶକ୍ତି ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏହି ଟ୍ରେନ ଗୁଡ଼ିକର ଆଗମନ ଦ୍ୱାରା ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ଦୂରତ୍ୱ ହ୍ରାସ ପାଇ ପରସ୍ପରର ଏକ ସଂପ୍ରସାରିତ ଅଂଶଭାବେ ମନେହେବ । ସେ ଚେନ୍ନାଇ ଏବଂ ବେଙ୍ଗାଲୁରୁ ମଧ୍ୟରେ ଯାତ୍ରା ସମୟର ଉଦାହରଣ ଦେଇଥିଲେ ଯାହା ମାତ୍ର ୭୩ ମିନିଟ କୁ ହ୍ରାସ ପାଇବ। ଏହା ଫଳରେ ଦୁଇ ସହର ଏକ ଏକକ ସମନ୍ୱିତ ହବ୍ର ଅଂଶ ହୋଇଯିବେ।
ମନ୍ତ୍ରୀ କହିଛନ୍ତି ଯେ ଦୁଇଟି ନୂତନ ସେବା ପ୍ରଚଳନ ଦ୍ୱାରା ସଂଯୋଗୀକରଣ ବୃଦ୍ଧି ପାଇବ। ହୁବଲି ଦେଇ ଏଲଏଚବି କୋଚ୍ ବିଶିଷ୍ଟ ଏକ ନୂତନ ମେଲ୍ ଏକ୍ସପ୍ରେସ୍ ପ୍ରଚଳନ କରାଯିବ, ଏବଂ ଏକ ବନ୍ଦେ ଭାରତ ସ୍ଲିପର୍ ଏକ୍ସପ୍ରେସ୍ ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରହିଛି।
ଆଂଚଳିକ ସଂଯୋଗୀକରଣ ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ସୂଚନା ଦେଇଥିଲେ ଯେ ମାଙ୍ଗାଲୁରୁ ଏବଂ ବେଙ୍ଗାଲୁରୁ ମଧ୍ୟରେ ବନ୍ଦେ ଭାରତ ସେବା ଖୁବ୍ ଶୀଘ୍ର ଆରମ୍ଭ ହେବ। ସେ କହିଥିଲେ ଯେ ଏହି ସେବା ପାଇଁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ମାଡଗାଓଁ ଏବଂ କର୍ଣ୍ଣାଟକର ଅନ୍ୟାନ୍ୟ ଉପକୂଳବର୍ତୀ ସହରଗୁଡ଼ିକୁ ସଂଯୋଗ କରିବା ଉପରେ ବିଚାର କରାଯାଇଛି। ସେ କହିଥିଲେ ଯେ ଏ ନେଇ ବୈଷୟିକ ପ୍ରତିବନ୍ଧକ ଦୂର କରାଯାଇଛି, ବିଶେଷକରି ହାସାନ-ମାଙ୍ଗାଲୁରୁ ସେକ୍ସନର ବିଦ୍ୟୁତୀକରଣ ସଂପୂର୍ଣ୍ଣ ହୋଇଛି ଓ ଉପକୂଳର ତୀକ୍ଷଣ ଢାଲୁ ଅଂଚଳରେ ସୁରକ୍ଷା ପାଇଁ ଅଟୋମେଟେଡ୍ ଏମର୍ଜେନ୍ସି ବ୍ରେକିଂ (ଏଇବି) ବ୍ୟବସ୍ଥା କରାଯାଇଛି।
ମନ୍ତ୍ରୀ ଟିପ୍ପାସାନ୍ଦ୍ରା କେନ୍ଦ୍ରରେ ଥିବା ଇଞ୍ଜିନିୟରିଂ ପ୍ରତିଭାଙ୍କୁ ପ୍ରଶଂସା କରି ନିଜର ଗସ୍ତ ଶେଷ କରିଥିଲେ। ସେ କହିଥିଲେ ଯେ ପରବର୍ତୀ ପିଢ଼ିର ରୋଲିଂ ଷ୍ଟକ୍ ଉପରେ ସେମାନଙ୍କର କାର୍ଯ୍ୟ ଏକ ବିକଶିତ ଭାରତର ଦୃଷ୍ଟିକୋଣର କେନ୍ଦ୍ରବିନ୍ଦୁ ହେବ। ସେ ପରିବେଶଗତ ସୁରକ୍ଷା ଏବଂ ଜନସଚେତନତା ସହିତ ବିଶାଳ ଭିତିଭୂମି ଅଭିବୃଦ୍ଧିକୁ ସନ୍ତୁଳିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା