
ଆଗ୍ରା, 26 ଏପ୍ରିଲ (ହି.ସ.)। କେନ୍ଦ୍ରୀୟ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟାଲ
ରବିବାର ସକାଳେ ତାଙ୍କ ପତ୍ନୀ ସହ ବିଶ୍ୱ ଐତିହ୍ୟ ତାଜମହଲ ପରିଦର୍ଶନ କରିଛନ୍ତି। ଏହା ପରେ ସେ
ଏକ ହୋଟେଲରେ ଆଗ୍ରାର ନିବେଶକ ଓ ଶିଳ୍ପପତିମାନଙ୍କ ସହ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ।
କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋୟାଲ ଶନିବାର ରାତିରେ ପତ୍ନୀଙ୍କ ସହ
ଦିଲ୍ଲୀରୁ ଆଗ୍ରାରେ ପହଞ୍ଚିଥିଲେ। ଏକ ପଞ୍ଚତାରକା ହୋଟେଲରେ ରାତି ବିଶ୍ରାମ ପରେ ରବିବାର ସକାଳେ
ପ୍ରାୟ 6ଟାରେ ତାଙ୍କ ପତ୍ନୀ ସୀମା ଗୋୟାଲଙ୍କ ସହ ତାଜମହଲରେ ପହଞ୍ଚିଥିଲେ। ଶିଳ୍ପଗ୍ରାମରୁ ଗଲ୍ଫ
କାର୍ଟ ମାଧ୍ୟମରେ ତାଜମହଲର ପୂର୍ବ ଗେଟ୍ରେ ପହଞ୍ଚି ତାହାରେ ପ୍ରବେଶ କରିଥିଲେ। ପ୍ରାୟ 2 ଘଣ୍ଟା
ତାଜମହଲରେ ବିତାଇବା ସମୟରେ ସେ ଗାଇଡ୍ଙ୍କ ଠାରୁ ତାଜମହଲର ନିର୍ମାଣ ସମ୍ପର୍କିତ ସୂକ୍ଷ୍ମ ତଥ୍ୟ
ଜାଣିଥିଲେ ଏବଂ ଡାୟାନା ବେଞ୍ଚରେ ପତ୍ନୀଙ୍କ ସହ ଫଟୋ ଉଠାଇଥିଲେ। ତାଜମହଲ ଦର୍ଶନ ପରେ ସେ ହୋଟେଲ
ଅମର ବିଲାସ ପାଇଁ ଯାତ୍ରା କରିଥିଲେ।
ସେ ଆଗ୍ରାରେ ଜୋତା, ଖେଳନା, ଫାର୍ମା, ଆୟୁଷ ନିବେଶକ ଓ ଶିଳ୍ପପତିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ
ଯୋଗ ଦେଇଥିଲେ, ଯେଉଁଠାରେ ରପ୍ତାନୀରେ
ଆସୁଥିବା ସମସ୍ୟା, ସେମାନଙ୍କ ସମାଧାନ
ଓ ପ୍ରସ୍ତାବ ବିଷୟରେ ଆଲୋଚନା ହୋଇଥିଲା।
ଉଲ୍ଲେଖନୀୟ ଯେ ଆଗ୍ରା ଜୋତା ନିର୍ମାଣ, ନିର୍ୟାତ ଓ
ବ୍ୟାପାରରେ ଭାରତର ଏକ ବଡ଼ କେନ୍ଦ୍ର ଅଟେ। ବର୍ତ୍ତମାନ ପଶ୍ଚିମ ଏସିଆର ପରିସ୍ଥିତିକୁ ଦୃଷ୍ଟିରେ
ରଖି ଜୋତା ଶିଳ୍ପରେ ପଡ଼ୁଥିବା ପ୍ରତିକୂଳ ପ୍ରଭାବ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ପିୟୁଷ
ଗୋୟାଲ ‘ମେକ୍ ଇନ୍ ଇଣ୍ଡିଆ’ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ। ଆଗ୍ରାର ରପ୍ତାନୀ ଓ ଶିଳ୍ପ
ବିକାଶ କ୍ଷେତ୍ରରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା