
ଝାରସୁଗୁଡ଼ା, ୩୦ ଏପ୍ରିଲ୍ (ହି.ସ.)- ଜିଲ୍ଲାରେ ବଢୁଥିବା ଗ୍ରୀଷ୍ମ ତାପମାତ୍ରା ଓ ପ୍ରବଳ ଖରା ପରିସ୍ଥିତିରେ ମଣିଷ ସହ ପଶୁପକ୍ଷୀମାନେ ମଧ୍ୟ ଭୟଙ୍କର ଜଳାଭାବର ସମ୍ମୁଖୀନ ହେଉଥିବା ପରିପ୍ରେକ୍ଷୀରେ ଉଡାନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଗଲା।
ଟ୍ରଷ୍ଟର ନିର୍ଦ୍ଦେଶିକା ରୁବିନା ଖାନଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଦାବିପତ୍ରରେ କୁହାଯାଇଛି ଯେ, ଖରା ଯୋଗୁଁ ସ୍ଥାନୀୟ ପୋଖରୀ ଓ ପ୍ରାକୃତିକ ଜଳାଶୟଗୁଡ଼ିକ ଶୁଖିଯାଇଛି। ଫଳରେ ଗାଈ, କୁକୁର, ବନ୍ୟପ୍ରାଣୀ ଏବଂ ପକ୍ଷୀମାନେ ପିଇବା ପାଣି ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ପାଇଁ ସହରର ବଜାର, ମନ୍ଦିର, ରାସ୍ତା କଡ଼ ଓ ସାର୍ବଜନୀନ ସ୍ଥାନରେ ସିମେଣ୍ଟ କୁଣ୍ଡ ବ୍ୟବସ୍ଥା କରି ପଶୁପକ୍ଷୀଙ୍କ ପାଇଁ ପାଣି ଯୋଗାଣ ସୁନଶ୍ଚିତ କରିବାକୁ ଟ୍ରଷ୍ଟ ଦାବି କରିଛି।
ସେହିପରି ସରବାହାଲ ପଶୁ ଚିକିତ୍ସାଳୟରେ ଡାକ୍ତର ଅଭାବରେ ଅସୁସ୍ଥ କିମ୍ବା ଆହତ ପଶୁମାନେ ସମୟମାନ ଚିକିତ୍ସା ନପାଇବା ଅଭିଯୋଗ ମଧ୍ୟ ଦାବିପତ୍ରରେ ଉଲ୍ଲେଖ ହୋଇଛି। ଏହି ପ୍ରସଙ୍ଗରେ ଶୀଘ୍ର ଡାକ୍ତର ନିଯୁକ୍ତି କରିବାକୁ ପ୍ରଶାସନଙ୍କୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି।
ଦାବିପତ୍ର ପ୍ରଦାନ ସମୟରେ ରୁବିନା ଖାନ ସହ ଈଶା ସାଗର, ଡଲି କୁଲଦୀପ, ଦୀପା ବୋହିଦାର, ସୁଶ୍ରୀ ତନିଷ୍କା ବୋହିଦାର, ଡଲି ପ୍ରଧାନ, ପୂର୍ଣ୍ଣିମା ବାହାଦୁର, ମିନୁ ଶ୍ରୀବାସ୍ତବ, ଅନୁପ କୁମାର ମହାରଣା ଓ ବିଶାଳ ମେହେର ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ କହିଲେ ଯେ, ସହରରେ ପଶୁପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରାଯାଇଛି। ଏବେ ଏହାକୁ ଆହୁରି ବିସ୍ତାର କରାଯିବ।
ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ପ୍ରଶାସନ ସତ୍ଵର ପଦକ୍ଷେପ ନେଲେ ଅନେକ ନିରୀହ ପଶୁପକ୍ଷୀଙ୍କ ଜୀବନ ରକ୍ଷା ହେବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ