ଖଡ଼ିଆଳ ଓ ବୋଡ଼େନ ଅଞ୍ଚଳରେ ବୈଶାଖ ମେଳା
ନୂଆପଡ଼ା, ୨ ମଇ (ହି.ସ.)- ଓଡ଼ିଶାର ବିଭିନ୍ନ ଧାର୍ମିକ ପୀଠରେ ଏବେ ଧୁମଧାମରେ ପାଳନ କରାଯାଉଛି ବୈଶାଖ ମେଳା। ହୋମ, ଯଜ୍ଞ, ସଂକୀର୍ତ୍ତନ ଆଦିରେ ଚଳଚଞ୍ଚଳ ଗାଁରୁ ସହର। ଖଡ଼ିଆଳ ବ୍ଲକର ନେହେନା ଓ ବୋଡେ଼ନ ବ୍ଲକର ପର୍ଯ୍ୟଟନ ସ୍ଥଳୀ ପାତାଳଗଙ୍ଗାରେ ପାଳିତ ହେଉଛି ବୈଶାଖ ମେଳା। ବୈଶାଖ ଏକାଦଶୀ ତିଥିରୁ ପ
Baisakh mela anusthita


ନୂଆପଡ଼ା, ୨ ମଇ (ହି.ସ.)- ଓଡ଼ିଶାର ବିଭିନ୍ନ ଧାର୍ମିକ ପୀଠରେ ଏବେ ଧୁମଧାମରେ ପାଳନ କରାଯାଉଛି ବୈଶାଖ ମେଳା। ହୋମ, ଯଜ୍ଞ, ସଂକୀର୍ତ୍ତନ ଆଦିରେ ଚଳଚଞ୍ଚଳ ଗାଁରୁ ସହର। ଖଡ଼ିଆଳ ବ୍ଲକର ନେହେନା ଓ ବୋଡେ଼ନ ବ୍ଲକର ପର୍ଯ୍ୟଟନ ସ୍ଥଳୀ ପାତାଳଗଙ୍ଗାରେ ପାଳିତ ହେଉଛି ବୈଶାଖ ମେଳା। ବୈଶାଖ ଏକାଦଶୀ ତିଥିରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଧରି ପାଳିତ ହେଉଥିବା ଏହି ମେଳା ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏହି ପୀଠରେ ଥିବା ମୃତ୍ୟୁଞ୍ଜୟ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଗାୟତ୍ରୀ ମନ୍ଦିର, ମାଆ ଦ୍ୱାରସେନି ମନ୍ଦିର ଆଦିରେ ପୂଜାର୍ଚ୍ଚନା ସହ ଭକ୍ତଙ୍କ ଗହଳି ଲାଗି ରହିଛି। ରାଧାକୃଷ୍ଣ ମନ୍ଦିର ପରିସରରେ ଯାଦବ ସମାଜ ତରଫରୁ ନାମଯଜ୍ଞ ସହ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ପାତାଳ ଗଙ୍ଗାର ପାଣିରେ ସ୍ନାନ କରିବା ସହ ବୁଲାବୁଲିର ମଜା ନେଉଛନ୍ତି। ଲୋକ କିମ୍ବଦନ୍ତୀ ଅନୁସାରେ ଯେତେବେଳେ ରାମ ଲକ୍ଷ୍ମଣ ଓ ସୀତା ବନବାସୀ ହୋଇଥିଲେ,ସେହି ସମୟରେ ବୁଲି ବୁଲି ଏହି ଅଞ୍ଚଳରେ ପହଞ୍ଚିଥିଲେ। ସେ ସମୟରେ ସୀତାଙ୍କୁ ଶୋଷ ଲାଗିବାରୁ ପାଣି ଖୋଜି ଖୋଜି ନ ପାଇବାରୁ ଲକ୍ଷ୍ମଣ ଶର ମାରିବାରୁ ଭୂମିରୁ ପାଣି ବାହାରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେହି ପାଣି ଅନବରତ ଭୂମିରୁ ବାହାରୁଛି। ଲୋକେ ପାତାଳ ରୁ ଗଙ୍ଗା ଆସିଛନ୍ତି ବୋଲି ବିଶ୍ୱାସ କରନ୍ତି ଓ ତହିଁରେ ସ୍ନାନ କଲେ କିବା ସେହି ଜଳ ପାନ କଲେ ପୁଣ୍ୟ ମିଳିଥାଏ ବୋଲି ମନେ କରନ୍ତି। ଓଡିଶା ସରକାର ଏହି କ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ହାତକୁ ନେଉଛନ୍ତି। ବର୍ଷ ତମାମ ଏହି ସ୍ଥାନରେ ପର୍ବପର୍ବାଣୀ ପାଳିତ ହେଉଥିବା ବେଳେ ବୈଶାଖ ମେଳାରେ ଲୋକଙ୍କ ପ୍ରବଳ ଭିଡ ଜମିଥାଏ। ଓଡ଼ିଶା, ଛତିଶଗଡ ଓ ମଧ୍ୟ ପ୍ରଦେଶ ରାଜ୍ୟର ଲୋକେ ଭିଡ ଜମାଇଥିଲେ। ଲୋକଙ୍କ ଭିଡକୁ ଦେଖି ପୁଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସାମାଜିକ କ୍ରିୟାକର୍ମ ଯଥା ଚୂଡ଼ାକରଣ, ନାମକରଣ ଆଦି ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଷ୍ଟଲ ପଡିଛି। ଲୋକେ ଦିଅଁ ଦର୍ଶନ ସହ ଖିଆପିଆ ଓ କିଣାବିକାର ମଜା ନେଉଛନ୍ତି। ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭାରତର ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ବୈଶାଖ ମେଳା ଅନ୍ୟତମ, ବିଶେଷ କରି ଓଡ଼ିଆ ସଂସ୍କୃତି ରେ ଆଷାଢ଼, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ(ଆକାମାବୈ) ମାସକୁ ପୁଣ୍ୟ ମାସ ବୋଲି ମନେ କରାଯାଏ। ଗୌତମ ବୁଦ୍ଧ ଏହି ବୈଶାଖ ପୂର୍ଣ୍ଣିମା ଦିନ ଜନ୍ମ ହୋଇଥିବା ବେଳେ ଜ୍ଞାନ ପ୍ରାପ୍ତି ଓ ନିର୍ବାଣ ପ୍ରାପ୍ତି ମଧ୍ୟ ଏହି ଦିନରେ ହୋଇଥିବାରୁ ବୋୖଦ୍ଧ ଧର୍ମୀଙ୍କ ପାଇଁ ଏହି ଦିନ ଏକ ପବିତ୍ର ଦିବସ ରୂପେ ମାନ୍ୟତା ପାଇଛି। ସନ୍ଥ କବି ଭୀମଭୋଇ ଏହି ତିଥିରେ ଜନ୍ମ ହୋଇଥିବାରୁ ମହିମା ଧର୍ମାବଲମ୍ବୀ ମାନଙ୍କ ପାଇଁ ମଧ୍ୟ ଏହି ଦିନ ସ୍ୱତନ୍ତ୍ର ମାନ୍ୟତା ରଖିଥାଏ।ମୋଟ ଉପରେ କହିବାକୁ ଗଲେ ବୁଦ୍ଧି ଓ ଜ୍ଞାନ ପ୍ରାପ୍ତିର ଦିବସ ହେଉଛି ବୈଶାଖ ପୂର୍ଣ୍ଣିମା, ଅନ୍ଧକାରରୁ ଆଲୋକକୁ ଗତି କରିବାର ଦିନ ହେଉଛି ବୈଶାଖ ପୂର୍ଣ୍ଣିମା।

ସେହିପରି ଖଡ଼ିଆଳ ବ୍ଲକର ନେହେନା ଶ୍ରୀରାମ ମନ୍ଦିରରେ ପବିତ୍ର ବୈଶାଖ ପୂର୍ଣ୍ଣିମା ମହାଡ଼ମ୍ବର ସହିତ ଶ୍ରଦ୍ଧା ଓ ଭକ୍ତିର ସହିତ ଆଜି ପାଳିତ ହୋଇଯାଇଛି। ଏହି ଶୁଭ ଅବସରରେ ଶ୍ରୀରାମ କଥା ପଠନ ସହ ଶ୍ରୀରାମ ମନ୍ଦିର, ତ୍ରିନାଥ ମନ୍ଦିର, କାଶୀ ବିଶ୍ଵନାଥ ଦେବ ଦେବ ମହାଦେବ, ଗାଁର ଇଷ୍ଟ ଦେବୀ ମା ଦେବସରଣୀଙ୍କ ଠାରେ ପୂଜାର୍ଚନା କରି ପ୍ରଭୁଙ୍କ ଠାରେ ପଖାଳ ଭୋଗ ଅର୍ପଣ କରାଯାଇଥିଲା। ଅନେକ ଭକ୍ତ ବୃନ୍ଦ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ସମବେତ ପଖାଳ ଭୋଗ ସେବନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂଜା କର୍ତ୍ତୀ ଭାବରେ ଦାୟାନିଧି ରାଉତରାୟ, ଧର୍ମପତ୍ନୀ ରିତାଞ୍ଜଳୀ ରାଉତରାୟ, ଶ୍ରୀରାମ ନବମୀ ମେଳାର ବରିଷ୍ଠ କାର୍ଯକର୍ତ୍ତା ବ୍ରହ୍ମନନ୍ଦ ରାଉତରାୟ, ତରଣୀସେନ ବିଶି, ରାମଜୀ ପ୍ରସାଦ ଦର୍ଜୀ, ସୁଶାନ୍ତ କୁମାର ବିଶି, ତରୁଜରାମ ବାଗ, ପୀତବାସ ଦଣ୍ଡସେନା, ପ୍ରଦୀପ ରାଉତରାୟ, ବିଶ୍ୱ ରଞ୍ଜନ ଦଣ୍ଡସେନା, ଗୋପୀନାଥ ରାଉତରାୟ, ରାଜେଶ ରାଉତରାୟ, କାର୍ତ୍ତିକ ମଲ୍ଲିକ, ଦୟା ଝଙ୍କାର, ନିତାଇରାମ ବିଶି, ଶିବଲ ଦଣ୍ଡସେନା, ବିଶ୍ଵବନ୍ଧୁ ଦଣ୍ଡସେନା, ତ୍ରିଦେବ ଦର୍ଜୀ, କ୍ଷୀରସିନ୍ଧୁ ବାରିକ, ବୋଧନ କର ଦଣ୍ଡସେନା, ଟିକଚନ କୈବର୍ତ୍ତ, ରାଜେଶ ବାରିକ, ରୁଦ୍ର ମାଧବ ରାଉତରାୟ, ପରମେଶ୍ୱର ଗହୀର, ଜିତେନ୍ଦ୍ର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande