ମିଶନ୍ ଆଶାଲୋକର ପ୍ରୟାସରେ ମନୋରୋଗୀ ଶ୍ରମିକଙ୍କୁ ପରିବାର ସହ ପୁନର୍ମିଳନ
Reunion with family
ମିଶନ୍ ଆଶାଲୋକର ପ୍ରୟାସରେ ମନୋରୋଗୀ ଶ୍ରମିକଙ୍କୁ ପରିବାର ସହ ପୁନର୍ମିଳନ


ଝାରସୁଗୁଡ଼ା, ୦୨ ମେ (ହି.ସ.) - ଝାରସୁଗୁଡାରେ ମିଶନ୍ ଆଶାଲୋକ-୧ ଦଳର ସଂଘବଦ୍ଧ ପ୍ରୟାସରେ ଜଣେ ମନୋରୋଗୀ ଶ୍ରମିକଙ୍କୁ ତାଙ୍କ ପରିବାର ସହ ପୁନର୍ମିଳନ କରାଯାଇଥିବା ଘଟଣା ସମ୍ମୁଖକୁ ଆସିଛି।

ନରେନ୍ଦ୍ର କୁମାର ଗେନ୍ଦ୍ରାୟ (୪୫), ପିତା ନୃସିଂହ ଗେନ୍ଦ୍ରାୟ ଓ ମାତା ଲକ୍ଷ୍ମୀବାଇ ସତନାମୀଙ୍କ ପୁତ୍ର, ଛତିଶଗଡର ବାଲୋଡ ଜିଲ୍ଲା ଅଧୀନ ଗୁଣ୍ଡରଦେହି ବ୍ଲକର ଅରଜୁଣ୍ଡା ଗ୍ରାମର ନିବାସୀ। ସେ ଜଣେ ଦିନମଜୁରିଆ ଶ୍ରମିକ ଥିବା ସୂଚନା ମିଳିଛି।

ଗତ ୩୦ ମାର୍ଚ୍ଚ ୨୦୨୩ରେ ଝାରସୁଗୁଡା ରେଳବେ ଷ୍ଟେସନ୍ ନିକଟରୁ ସେ ଗୁରୁତର ମାନସିକ ଅସ୍ଥିରତା ଅବସ୍ଥାରେ ମିଳିଥିବାବେଳେ ମିଶନ୍ ଆଶାଲୋକ-୧ ଦଳ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତି କରିଥିଲେ।

ପରବର୍ତୀ ସମୟରେ ନିରନ୍ତର ଚିକିତ୍ସା, ମନୋଚିକିତ୍ସା, ପରାମର୍ଶ ଏବଂ ସମଗ୍ର ମନୋସାମାଜିକ ସହଯୋଗ ଫଳରେ ତାଙ୍କ ସ୍ୱାସ୍ଥ୍ୟରେ ଧୀରେଧୀରେ ସୁଧାର ଦେଖାଯାଇଥିଲା। ଆରମ୍ଭରେ ତାଙ୍କ ପରିଚୟ ସମ୍ପର୍କରେ ସୀମିତ ସୂଚନା ଥିଲେ ସୁଦ୍ଧା, ମିଶନ୍ ଆଶାଲୋକ-୧ ଦଳ ତାଙ୍କ ପରିବାରକୁ ଖୋଜିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିଲେ।

ଏହି ପ୍ରୟାସ ସଫଳ ହୋଇ ଛତିଶଗଡର ବାଲୋଡ ଜିଲ୍ଲାରେ ତାଙ୍କ ପରିବାରକୁ ଚିହ୍ନଟ କରାଯାଇଥିଲା ଏବଂ ଦୀର୍ଘ ସମୟ ପରେ ପୁନଃ ସମ୍ପର୍କ ସ୍ଥାପିତ ହୋଇଥିଲା।

ଶେଷରେ, ସ୍ୱାସ୍ଥ୍ୟ ସୁଧାର ହେବା ପରେ ତାଙ୍କୁ ଡିସଚାର୍ଜ୍ କରାଯାଇ ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣଙ୍କ ଉପସ୍ଥିତିରେ “ସ୍ନେହ-ସେତୁ” କାର୍ଯ୍ୟକ୍ରମ ଅଧୀନରେ ତାଙ୍କ ଭାଇ ହେମନ୍ତ କୁମାର ଗେନ୍ଦ୍ରାୟଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହି ଘଟଣା ମିଶନ୍ ଆଶାଲୋକ-୧ ଦଳର ମାନବିକ ସେବା ଓ ନିଷ୍ଠାର ଏକ ଉଦାହରଣ ବୋଲି ସ୍ଥାନୀୟମାନେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande