
ଗଞ୍ଜାମ, ୨ ମଇ (ହି.ସ.)- ବ୍ରହ୍ମପୁରର ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ପୁଣି ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ଗୋପାଳପୁର ପୋଲିସ । ସେମାନେ ହେଲେ ଡ୍ରାଇଭର ଶୁଭମ୍ ନାୟକ ଓ ତାଙ୍କ ସହଯୋଗୀ ଶୁଭମ୍ ଗୌଡ । ଦୁହିଁଙ୍କୁ ପୋଲିସ ଜେରା କରୁଛି । ସେମାନେ କିପରି ଘଟଣା ଦିନ ମାଣ୍ଡିଆପଲ୍ଲୀ ଠାରୁ ସୁଧୀରଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ । ସେ ବାବଦରେ ପୋଲିସ ଖୋଳତାଡ଼ କରୁଛି ।
ପ୍ରକାଶ ଥାଉକି, ମାମଲାରେ ଜଡ଼ିତ ଥିବା ୭ ଜଣଙ୍କୁ ପୂର୍ବରୁ ପୋଲିସ ରିମାଣ୍ଡରେ ନେଇ ଜେରା କରିସାରିଛି । ଘଟଣାରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ପୋଲିସ ତଦନ୍ତ କରୁଛି ଏବଂ ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ । ପ୍ରେମଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ତାଙ୍କ ଝିଆରୀ ତଥା ଅଭିଯୁକ୍ତ ନିବେଦିତା କହିବା ସହ ସୁଧିରଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏହି ଅପହରଣ କରାଯାଇନଥିଲା, କିନ୍ତୁ ଅଭିଯୁକ୍ତମାନେ ଅତ୍ୟଧିକ ମଦ୍ୟପାନ କରି ପିଟି ଥିବାରୁ ସୁଧିରଙ୍କ ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି । ଅପ୍ରେଲ ୧୫ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ