
ଧର୍ମଶାଳା, ୨ ମଇ (ହି.ସ.)- ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ପରିବାର ଲୋକେ। ଗତ ୩୦ ତାରିଖ ସନ୍ଧ୍ୟାରେ ଭଣ୍ଡାରିପୋଖରୀ ବ୍ଲକ କୁମ୍ଭାରିଆ ଗ୍ରାମର କୈଳାଶ ଚନ୍ଦ୍ର ଓଝାଙ୍କ ପତ୍ନୀ ରଶ୍ମିତା ସୂତାର(୨୪)ଙ୍କୁ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ଶୁକ୍ରବାର ସକାଳ ୧୦ଟା ସମୟରେ ରଶ୍ମିତାଙ୍କ ଅସ୍ତ୍ରୋପଚାର କରାଯାଇ ଶିଶୁ ଜନ୍ମ ହୋଇଥିଲା । ଶିଶୁ ଗୁରୁତର ଥିବା କହି କଟକ ସ୍ଥାନାନ୍ତର କରାଯାଇଥିଲା। ପରେ ପ୍ରସୂତି ମହିଳାଙ୍କୁ ମଧ୍ୟ କଟକ ସ୍ଥାନାନ୍ତରିତ କରାଯାଇଥିଲା। କଟକରେ ଶିଶୁକୁ ମୃତ ଘୋଷଣା ପରେ ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଶିଶୁକୁ ଧରି ପରିବାର ଲୋକେ ନ୍ୟାୟ ଦାବି କରିବା ସହ ମେଡିକାଲ ପରିସରରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ପ୍ରସୂତି ବିଭାଗରେ ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଯାଜପୁର ପୋଲିସ ମୁତୟନ ହୋଇଛନ୍ତି । ଦୀର୍ଘ ସମୟ ଉତ୍ତେଜନା ଦେଖା ଦେବା ପରେ ପୋଲିସ ଓ ଡାକ୍ତର ବୁଝା ସୁଝା କରିଥିଲେ କିନ୍ତୁ ଉଚିତ ନ୍ୟାୟ ନ ମିଳିବାରୁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ ମୃତ ଶିଶୁର ପରିବାର ଲୋକେ। ଜିଲ୍ଲାପାଳ ବୁଝା ସୁଖା କରିବା ପରେ ମୃତ ଶିଶୁକୁ ବ୍ୟବଚ୍ଛେଦ କରାଯାଇଥିଲା। ପରିବାର ଲୋକେ ଘରକୁ ଫେରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ