
ଭଦ୍ରକ, ୨ ମଇ (ହି.ସ.)- ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ସିପିଆଇ(ଏମ) ର ପୂର୍ବତନ ବିଧାୟକ ପ୍ରାର୍ଥୀ, ବରିଷ୍ଠ ଚାଷୀ ନେତା ଚକ୍ରଧର ଦାସଙ୍କ ୭୨ ବର୍ଷ ବୟସରେ ତାଙ୍କ ମଣିପୁର ସ୍ଥିତ ବାସଭବନରେ ମୃତ୍ୟୁ ଘଟିଛି। ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଚାନ୍ଦବାଲି ଓ ଘଣ୍ଟେଶ୍ୱର ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲଗାତାର ଭାବରେ ଜନଆନ୍ଦୋଳନରେ ସାମିଲ ଥିଲେ । ତାଙ୍କ ମୃତ୍ୟୁରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ସିପିଆଇ(ଏମ) ନେତା ବିକାଶ ନାଥ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ଗିରିଧାରୀ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ସିପିଆଇ(ଏମ) ଘଣ୍ଟେଶ୍ୱର ବ୍ରାଞ୍ଚ ସଂପାଦକ ଜୟୀରାମ ଦାସ, ଯୁବନେତା କାହ୍ନୁ କିଶୋର ସାହୁ, ଚାଷୀ ନେତା ଅଭିରାମ ବଳ, ଯୁବ ନେତା କାର୍ତ୍ତିକ ନାଥ, କ୍ଷେତମଜଦୂର ନେତା ନବଘନ ନାଥ, ଗଦାଧର ମଲ୍ଲିକ, ଦଳିତ ନେତା ଶ୍ରୀନାଥ ଦାସ, ମହିଳା ନେତ୍ରୀ କାମିନୀ ଭୋଇ ପ୍ରମୁଖ ତାଙ୍କ ବାସଭବନରେ ଉପସ୍ଥିତ ହୋଇ ବରିଷ୍ଠ ନେତା ଚକ୍ରଧର ଦାସଙ୍କ ଅମ୍ଳାନ ସ୍ମୃତି ପ୍ରତି ବୈପ୍ଳବିକ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଓ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ତାଙ୍କ ଶବକୁ ଏକ ଶୋଭାଯାତ୍ରାରେ ଘଣ୍ଟେଶ୍ୱର ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଯଥା ତୋଟାପଡା, ଗୋପିନାଥପୁର, ବଜରାପୁର, ରାଜନଗର ଆଦି ଅଞ୍ଚଳ ପରିକ୍ରମା କରାଯିବା ପରେ ତାଙ୍କ ଘରବାଡିରେ ଶେଷ କୃତ୍ଯ ସମ୍ପନ୍ନ କରାଯାଇଥିଲା । ଏହି ଶବ ଶୋଭାଯାତ୍ରାରେ ଶହ ଶହ ସାଧାରଣ ଜନତା ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ