
ଭଦ୍ରକ, ୨୬ ମଇ (ହି.ସ.) - ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଧାମନଗର ଏନ.ଏ.ସି. ଅଂଚଳରେ ଚାଲିଥିବା ଏକ ବିରାଟ ପ୍ରକଳ୍ପ ଏବେ ବିବାଦର ସୀମା ପାର କରିଛି। ଏନ.ଏ.ସି.ର ୧୧ ନମ୍ବର ୱାର୍ଡ ଗୋହିରୀଆପଡା ଦକ୍ଷିଣ ବାଡ଼ ଠାରେ ପ୍ରାୟ ୩,୧୬,୧୫,୦୦୦ ଟଙ୍କାର ବ୍ୟୟ ଅଟକଳରେ ଚାଲିଥିବା ପାର୍କ ଓ ପାଚେରି ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଏବଂ ମନମୁଖୀ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଜନଅସନ୍ତୋଷ ସହ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ନସାଧାରଣଙ୍କ ମୁଖ୍ୟ ରାସ୍ତା ଓ ଖେଳପଡ଼ିଆକୁ 'ବଳି': ପ୍ରକଳ୍ପ ନାମରେ ଗ୍ରାମର ଏକମାତ୍ର ସର୍ବସାଧାରଣ ଖେଳପଡ଼ିଆ ଏବଂ ମୁଖ୍ୟ ଯାତାୟାତ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରାଯାଇ ଏହି ପାର୍କ ନିର୍ମାଣ କରାଯାଉଛି। ଗ୍ରାମବାସୀମାନେ ରାସ୍ତା ଓ ଖେଳପଡ଼ିଆକୁ ସୁରକ୍ଷିତ ରଖି କାମ କରିବାକୁ ବାରମ୍ବାର ଦାବି କରିଥିଲେ ହେଁ, ସମ୍ପୃକ୍ତ ଠିକାଦାର ସ୍ଥାନୀୟ ଲୋକଙ୍କ ଆପତିକୁ ଭୃକ୍ଷେପ ନକରି ଗୁଣ୍ଡାଗର୍ଦ୍ଦି ଶୈଳୀରେ ଜବରଦସ୍ତ କାମ ଚଳାଇଛନ୍ତି। ଫଳରେ ଏହି ବିବାଦ ଏବେ ଜନଆନ୍ଦୋଳନର ରୂପ ନେଇ ଧାମନଗର ଥାନାରେ ପହଂଚିଛି। ସରକାରୀ ପାଣ୍ଠି ହରିଲୁଟ୍: ପିଚୁ-ଫେଭର ରାସ୍ତା ଉପରେ ଚାଲିଛି ମାଟି ପାର୍କ! ସବୁଠାରୁ ବଡ଼ ଦୁର୍ନୀତିର ଚିତ୍ର ଏହା ଯେ, ନିକଟ ଅତୀତରେ ଗୋହିରାପଡାକୁ ସଂଯୋଗ କରୁଥିବା ଏହି ସ୍ଥାନରେ ଲକ୍ଷ ଲକ୍ଷ ସରକାରୀ ଟଙ୍କା ବ୍ୟୟରେ କଂକ୍ରିଟ୍ ଏବଂ ଫେଭର ଇଟାର ଚମତ୍କାର ରାସ୍ତା ନିର୍ମାଣ କରାଯାଇଥିଲା। ପ୍ରଶାସନିକ ସମନ୍ୱୟର ଅଭାବ କିମ୍ବା ଠିକାଦାରଙ୍କୁ ପୋଷିବା ଚକ୍କରରେ ଏବେ ସେହି ସର୍ବସାଧାରଣ ନୂତନ ରାସ୍ତାକୁ ନଷ୍ଟ କରି ତାହା ଉପରେ ପାର୍କ ତିଆରି କରାଯାଉଛି, ଯାହା ସରକାରୀ ଅର୍ଥକୁ ପାଣିରେ ପକାଇବା ସହ ସମାନ। ଗଳାବାଟ ଖୋଜୁଛି ପ୍ରଶାସନ: ଫଳକରୁ ତାରିଖ ଗାୟବ, ମାଟି ବଦଳରେ ପଙ୍କ! କାର୍ଯ୍ୟକ୍ଷେତ୍ରରେ ଚାଲିଥିବା ମହାଘୋଟାଲାକୁ ଲୁଚାଇବା ପାଇଁ ସୂଚନା ଫଳକରୁ କାର୍ଯ୍ୟ ଆରମ୍ଭ ଓ ଶେଷର ତାରିଖକୁ କୌଶଳକ୍ରମେ ଗାୟବ କରିଦିଆଯାଇଛି। କାମ ପ୍ରାୟ ଅଧାରୁ ଅଧିକ ସରିଥିଲେ ମଧ୍ୟ ସ୍ୱଚ୍ଛତା ନାମରେ କେବଳ ଶୂନ। ସେହିପରି ଏଷ୍ଟିମେଂଟ ଅନୁଯାୟୀ ପାର୍କରେ ଉନ୍ନତମାନର ମାଟି ଭର୍ତି କରିବା ପାଇଁ ମୋଟା ଅଙ୍କର ବ୍ୟବସ୍ଥା ଥିବା ବେଳେ, ଲାଭଖୋର ଠିକାଦାର ମାଟି କିଣିବା ପଇସା ପକେଟସ୍ଥ କରିବାକୁ ଯାଇ ପୋଖରୀର ଅପରିଷ୍କାର ପଙ୍କ କାଢ଼ି ପାର୍କରେ ଭର୍ତି କରୁଛନ୍ତି। ସହକାରୀ ଯନ୍ତ୍ରୀଙ୍କ ଦାୟିତ୍ୱହୀନ ବୟାନ: ପଙ୍କ ପଡ଼ିଲେ ଅସୁବିଧା ନାହିଁ! ଏହି ସଙ୍ଗୀନ ଅଭିଯୋଗ ବାବଦରେ ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତିଙ୍କୁ ପଚାରିବାରୁ ସେ ଦୁର୍ନୀତିକୁ ସୁରକ୍ଷା ଦେଲା ଭଳି ଅଜବ ସଫେଇ ଦେଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ଏଷ୍ଟିମେଂଟ ଅନୁଯାୟୀ ଭଲ ମାଟି ପଡ଼ିବାର ଅଛି, କିନ୍ତୁ ପଙ୍କ ମାଟି ପଡ଼ିଲେ ବି କିଛି ଅସୁବିଧା ନାହିଁ! ଯନ୍ତ୍ରୀଙ୍କ ଏଭଳି ବୟାନ ସିଧାସଳଖ ଠିକାଦାରଙ୍କ ସହ ତାଙ୍କର ମଧୁଚନ୍ଦ୍ରିକାକୁ ସ୍ପଷ୍ଟ କରୁଛି। ତେବେ ଜାଗା ବିରୋଧକୁ ନେଇ ସେ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କ ନିଷ୍ପତି ଅନୁଯାୟୀ ବ୍ୟବସ୍ଥା ହେବ। ଏଭଳି ସ୍ଥିତିରେ ପ୍ରଶାସନର ଛତ୍ରଛାୟା ତଳେ ଚାଲିଥିବା ଏହି କୋଟି କୋଟି ଟଙ୍କାର ଦୁର୍ନୀତି ଏବଂ ସାଧାରଣ ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେବା ଘଟଣାର ଉଚ୍ଚସ୍ତରୀୟ ଭିଜିଲାନ୍ସ କିମ୍ବା ବିଭାଗୀୟ ତଦନ୍ତ ଜରୁରୀ ହୋଇପଡ଼ିଛି। ନଚେତ୍ ଆଗାମୀ ଦିନରେ ଗ୍ରାମବାସୀ ରାଜପଥକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ