
ଭୁବନେଶ୍ୱର, ୨୬ ମଇ (ହି.ସ.)- ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଗତ ୫ ଦିନ ଧରି ସିଜିମାଳୀ ବିସ୍ଥାପିତ ଓ ପ୍ରଭାବିତ ମାନଙ୍କ ନ୍ୟାୟ ପଦଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ଯେ ଯଦି ସରକାର ସିଜିମାଳି ଓ କୁଟ୍ରୁମାଳୀ ବିସ୍ଥାପିତ ମାନଙ୍କୁ ନ୍ୟାୟ ନ ଦିଅନ୍ତି ତେବେ ଜୁନ୍ ମାସରେ ମଧ୍ୟ ପୁଣି ପଦଯାତ୍ରା କରାଯିବ । ଆଜିର ପଦଯାତ୍ରା କେରପାଇ ଗ୍ରାମରୁ ଆରମ୍ଭ ହୋଇ କଳାହାଣ୍ଡି ଜିଲ୍ଲାର ସର୍ଗୀପଦର ପଞ୍ଚାୟତ ଶେଷ ହୋଇଥିଲା । ଯୁବ କଂଗ୍ରେସ ଦାବି କରିଛି ଜଳ, ଜମି, ଜଙ୍ଗଲ, ଖଣି ଓ ଜୀବିକାକୁ ଲୁଟ୍ କରିବା ପାଇଁ ବିଜେପି ସରକାର ଯେଉଁ ଚକ୍ରାନ୍ତ କରୁଛନ୍ତି ସେଥିରୁ ନିବୃତ ରୁହନ୍ତୁ । ଜୀବନ ଜୀବିକା ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ପାଇଁ ସଂଗ୍ରାମ କରି ଯେଉଁମାନେ ଜେଲରେ ଷଢ଼ୁଛନ୍ତି ଏବଂ ଯେଉଁମାନଙ୍କ ପାଇଁ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଛି ସେମାନଙ୍କ ନାମରୁ ତୁରନ୍ତ କେସ୍ ପ୍ରତ୍ୟାହାର କରାଯାଉ । ଆଦିବାସୀ, ବନବାସୀ ଓ ଦଳିତ ଲୋକଙ୍କ ପାଇଁ ବିଜେପି ସରକାରର ଜମନ ମୂଳକ ନୀତି ବିରୁଦ୍ଧରେ ଯୁବ କଂଗ୍ରେସ ବେସାଲିସ୍ ଲଢ଼େଇ କରିବ ।
ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସ ପ୍ରଭାରୀ ମନିଷ ଶର୍ମା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ଅଜୟ ଲଲୁ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ବିରୋଧ ଦଳର ନେତା ରାମଚନ୍ଦ୍ର କାଡାମ, ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ, ରାଜ୍ୟ ଯୁବ କଂଗ୍ରେସ ସହ ପ୍ରଭାରୀ ଖୁସି ଟିଗା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ ସାମଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା