ଗଡ଼ିବା ଆଗରୁ ଅଟକିଗଲା 'ଲକ୍ଷ୍ମୀ ବସ୍', ଆନନ୍ଦପୁରବାସୀ ନିରାଶ, ଖଡ଼ିପଦାରେ ଜନଅସନ୍ତୋଷ
ଭଦ୍ରକ, ୩୧ ମଇ (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ଆନନ୍ଦପୁର ପଂଚାୟତକୁ ଆଜିଠାରୁ ମୁଖ୍ୟମନ୍ତ୍ରୀ ବସ୍ ସେବା (ଲକ୍ଷ୍ମୀ ବସ୍) ଯୋଜନାରେ ବସ୍ ଚଳାଚଳ କରିବାର ଥିଲା। ଏଥିପାଇଁ ଗତକାଲି ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରୁଟ୍ ଚାର୍ଟ ସହ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଆ
LAXMI BUS - ANANDAPURBASI NIRAS


ଭଦ୍ରକ, ୩୧ ମଇ (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ଆନନ୍ଦପୁର ପଂଚାୟତକୁ ଆଜିଠାରୁ ମୁଖ୍ୟମନ୍ତ୍ରୀ ବସ୍ ସେବା (ଲକ୍ଷ୍ମୀ ବସ୍) ଯୋଜନାରେ ବସ୍ ଚଳାଚଳ କରିବାର ଥିଲା। ଏଥିପାଇଁ ଗତକାଲି ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରୁଟ୍ ଚାର୍ଟ ସହ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଆଜି ଏନ୍ରୁଟ୍ରେ ବସ୍ ଚଳାଚଳକୁ ସ୍ଥଗିତ ରଖାଯିବା ଯୋଗୁଁ ସ୍ଥାନୀୟ ଅଂଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ବସ୍ ନ ଆସିବାରୁ କ୍ଷୁବ୍ଧ ଗ୍ରାମବାସୀ ଖଡ଼ିପଦା ଛକରେ ପହଂଚି ବସକୁ ଅଟକାଇ ହୋ ହଲ୍ଲା କରିଥିଲେ। ପରିସ୍ଥିତିକୁ ଦେଖି ଧାମନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ବସକୁ ଥାନାକୁ ନେଇଯାଇଛି। ନିର୍ଦ୍ଧାରିତ ସମୟ ସାରଣୀ ଅନୁଯାୟୀ, ପ୍ରଥମ ବସ୍ ସକାଳ ୭:୧୩ରେ ପଧାନିରୁ ବାହାରି ୮:୦୭ରେ ଆନନ୍ଦପୁର ହାତିଢିଅ ଛକ ଓ ୮:୪୮ରେ ଧାମନଗର ବ୍ଲକରେ ପହଞ୍ଚିଥାନ୍ତା। ଦ୍ୱିତୀୟ ବସ୍ ସକାଳ ୧୦:୨୦ରେ ପଧାନିରୁ ବାହାରି ୧୧:୧୪ରେ ଆନନ୍ଦପୁର ଓ ୧୧:୫୪ରେ ଧାମନଗର ବ୍ଲକରେ ପହଂଚିବାର ଥିଲା। ସେହିପରି ତୃତୀୟ ବସ୍ ଦିନ ୨:୩୪ରେ ଆନନ୍ଦପୁରରେ ପହଂଚି ୫ ମିନିଟ୍। ପରେ ଛାଡ଼ି ୩:୧୪ରେ ଧାମନଗର ବ୍ଲକ କାର୍ଯ୍ୟାଳୟରେ ପହଂଚିଥାନ୍ତା ଏବଂ ଚତୁର୍ଥ ବସ୍ ଅପରାହଣ ୪:୨୫ରେ ପଧାନିରୁ ବାହାରି ସନ୍ଧ୍ୟା ୫:୧୯ରେ ଆନନ୍ଦପୁର ଓ ୫:୫୮ରେ ଧାମନଗରରେ ପହଂଚିବାକୁ ସମୟ ସ୍ଥିର ହୋଇଥିଲା। ଗ୍ରାମାଂଚଳର ପରିବହନ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସରକାରଙ୍କ ଏହି ଯୋଜନା ଦ୍ୱାରା ଧାମନଗରରୁ ଆନନ୍ଦପୁର ହୋଇ ସୋହଡ଼ା ଓ ଖଡ଼ିପଦା ଦେଇ ବସ୍ ଚଳାଚଳ ହେବାର ଥିଲା। ଏହାଦ୍ୱାରା ବାଲିପାଟଣା, ପାହାଡ଼ପୁର, ମାନଲାପୁର ଓ ଉତେଇପୁର ଗ୍ରାମର ହଜାର ହଜାର ଲୋକ ଉପକୃତ ହୋଇଥାନ୍ତେ। ବିଗତ ୩ ବର୍ଷ ଧରି ସ୍ଥାନୀୟ ଯୁବକ ତଥା କଂଗ୍ରେସ ନେତା ସଞ୍ଜୟ ମିଶ୍ର, ଅରୁଣ ପରିଡ଼ା ଓ ରାଜେଶ ମିଶ୍ରଙ୍କ ନେତୃତ୍ୱରେ ଗ୍ରାମବାସୀ ବାରମ୍ବାର ଦାବି କରିବା ସହ ୨ ଥର ଆନ୍ଦୋଳନ ମଧ୍ୟ କରିଥିଲେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବସ୍ ଚାଲିବା ଚୂଡ଼ାନ୍ତ ହୋଇଥିବାରୁ ଗ୍ରାମବାସୀ ଆଜି ସକାଳୁ ଡ୍ରାଇଭର ଓ କର୍ମଚାରୀଙ୍କୁ ସ୍ୱାଗତ କରିବା ପାଇଁ ଫୁଲମାଳ ଓ ମିଠା ଧରି ହାତିଢିଅ ଛକରେ ପ୍ରସ୍ତୁତ ହୋଇ ରହିଥିଲେ। ମାତ୍ର ଉପରୁ ଆଦେଶ ଥିବାରୁ ଆନନ୍ଦପୁରକୁ ବସ୍ ଯିବନାହିଁ ବୋଲି ବସ୍ ସୁପରଭାଇଜର ସୁମନ ଦେ ପ୍ରକାଶ କରିବା ପରେ ଲୋକେ ନିରାଶ ହୋଇଥିଲେ। ତେବେ ଏହି ବସ୍ ଚଳାଚଳ ହଠାତ୍ ବନ୍ଦ ହେବା ପଛରେ କିଛି ସ୍ଥାନୀୟ ରାଜନୈତିକ ନେତାଙ୍କ ଚକ୍ରାନ୍ତ ବା ଶ୍ରେୟ ନେବାର ରାଜନୀତି ଥାଇପାରେ ବୋଲି ଆଶଙ୍କା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande