କନ୍ଧମାଳରେ ଶିଶୁ ଶ୍ରମିକ ନିରାକରଣ ଅଭିଯାନ;ସଚେତନତା ରଥର ଶୁଭାରମ୍ଭ
Child Labor protection Awerness program in Phulbani
ଫୋଟ ୨


ଫୋଟ


କନ୍ଧମାଳ , ୧୭ ଜୁନ୍ (ହି.ସ.) କନ୍ଧମାଳ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ଉଦ୍ଦେଶ୍ୟରେ ବୁଧବାରଠାରୁ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି। ଓଡ଼ିଶା ଶ୍ରମ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ୧୫ ଦିନିଆ ସ୍ପେଶାଲ୍ କ୍ୟାମ୍ପେନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସ୍ଥାନୀୟ କଲେକ୍ଟୋରେଟ୍ ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ କୁଶଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଏବଂ ଏକ ବିଶାଳ ର୍ୟାଲିର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ର୍ୟାଲିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଫୁଲବାଣୀ ସର୍କିଟ୍ ହାଉସ୍ ପର୍ଯ୍ୟନ୍ତ ପରିକ୍ରମା କରି ଶିଶୁ ଶ୍ରମିକ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିଥିଲା। ମିଳିଥିବା ସୂଚନା ମୁତାବକ, ଏହି ସଚେତନତା ରଥ ଆଗାମୀ ଦିନରେ ଫୁଲବାଣୀ ପୌରପାଳିକା, ବାଲିଗୁଡା ଏନଏସି ଏବଂ ଘୁ.ଉଦୟଗିରି ଅଞ୍ଚଳର କୋଣ ଅନୁକୋଣ ପରିକ୍ରମା କରିବ। କୌଣସି ବିପଜ୍ଜନକ କାର୍ଯ୍ୟ, ହୋଟେଲ, ଦୋକାନ ବା ଶିଳ୍ପାନୁଷ୍ଠାନରେ ଶିଶୁ ଓ କିଶୋରମାନଙ୍କୁ ଶ୍ରମିକ ଭାବେ ନିୟୋଜିତ ନ କରିବା ଏବଂ ସେମାନଙ୍କ ଆଇନଗତ ଅଧିକାର ସମ୍ପର୍କରେ ଜନସାଧାରଣଙ୍କୁ ବାର୍ତ୍ତା ପ୍ରସାର କରିବା ଏହି ରଥର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଶୁଭାରମ୍ଭ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ କହଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରଣ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ ରନେôଶ୍ୱର ସାହୁ ଏବଂ ଫୁଲବାଣୀ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିନିଆଲ ନାଇକା ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହା ସହିତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବରିଷ୍ଠ କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଏବଂ ବହୁ ସଂଖ୍ୟାରେ ସଚେତନ ନାଗରିକ ଏହି ଅଭିଯାନରେ ସାମିଲ ହୋଇଥିଲେ।

-------------

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande