
ଓଡ଼ିଶା-ସିଙ୍ଗାପୁର ସହଭାଗିତା ହେବ ଅଧିକ ସୁଦୃଢ଼
ଭୁବନେଶ୍ୱର ,୧୭ ଜୁନ୍ (ହି.ସ)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ବୁଧବାର ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ଶ୍ରୀ ସାଇମନ୍ ୱଙ୍ଗଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏହି ବୈଠକ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ଓ ବୈଷୟିକ ସମ୍ଭାବନାକୁ ବାସ୍ତବ ରୂପ ଦେବା ଦିଗରେ ଏକ ଦୃଢ଼ ପଦକ୍ଷେପ ନିଆଯାଇଛି। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସିଙ୍ଗାପୁରର ସହରୀ ଯୋଜନା, ସ୍ୱଚ୍ଛ ଶକ୍ତି, ବନ୍ଦର ପରିଚାଳନା, ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଥିବା ଦକ୍ଷତା ଓଡ଼ିଶାର ବିକାଶମୂଳକ ଲକ୍ଷ୍ୟ ହାସଲ ଦିଗରେ ଖୁବ୍ ସହାୟକ ହେବ। ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଅଭିବୃଦ୍ଧିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି । 'ସମୃଦ୍ଧ ଓଡ଼ିଶା ୨୦୩୬' ଏବଂ 'ବିକଶିତ ଭାରତ ୨୦୪୭'ର ଲକ୍ଷ୍ୟ ହାସଲ ଦିଗରେ ସିଙ୍ଗାପୁର ଏକ ସ୍ୱାଭାବିକ ପାର୍ଟନର୍ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି ।
ଓଡ଼ିଶାର ସମୃଦ୍ଧ ପୁଞ୍ଜିନିବେଶ ଅନୁକୂଳ ପରିବେଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ସହାୟତା, ସିଙ୍ଗଲ୍-ୱିଣ୍ଡୋ ବ୍ୟବସ୍ଥା ଏବଂ ନିବେଶ ପ୍ରସ୍ତାବ ଉପରେ ତୁରନ୍ତ ନିଷ୍ପତି ଗ୍ରହଣର ପ୍ରତିଶ୍ରୁତି ଦେଇଥିଲେ।
ଜାନୁଆରୀ ୨୦୨୫ରେ ସିଙ୍ଗାପୁରର ରାଷ୍ଟ୍ରପତି ଡକ୍ଟର ଥରମାନ ସନମୁଗରତ୍ନମଙ୍କ ଓଡ଼ିଶା ଗସ୍ତ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗକୁ ସୁଦୃଢ଼ କରିଥିଲା । ଏହି ସମୟରେ ରାଜ୍ୟର ୫ଟି ପ୍ରମୁଖ ବିଭାଗ ମଧ୍ୟରେ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ୮ଟି ଏମଓୟୁର ଅଗ୍ରଗତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇ ଓଡ଼ିଶାରେ ସିଙ୍ଗାପୁର’ର ନିବେଶ ତଥା ବିଭିନ୍ନ ପାର୍ଟନରସିପ୍’ର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏକ ସୁ-ବ୍ୟବସ୍ଥିତ ମେକାନିଜିମ୍ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ସେ ଗ୍ରୀନ୍ ଏନର୍ଜି, ସହରୀ ବିକାଶ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସିଙ୍ଗାପୁରର ବ୍ୟବସାୟିକ ପ୍ରତିନିଧି ଦଳକୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ ।
ଓଡ଼ିଶାରେ ହୋଇଥିବା ‘ବ୍ଲାକ୍ ସ୍ୱାନ୍ ସମିତ୍’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଓଡ଼ିଶାର ଯୁବବର୍ଗଙ୍କୁ ଫିନ୍ଟେକ୍ ଓ ଇନ୍ସିଓରଟେକ୍ କ୍ଷେତ୍ରରେ ଦକ୍ଷ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସିଙ୍ଗାପୁର’ର ସହଯୋଗରେ ଓଡ଼ିଶାରେ ଫିନ୍ଟେକ୍ ଓ ଇନ୍ସିଓରଟେକ୍ କ୍ଷେତ୍ରରେ ଉଦ୍ୟମକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ ।
ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ସାଇମନ ୱଙ୍ଗ ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାର ବିକାଶ ପ୍ରକ୍ରିୟାରେ ସିଙ୍ଗାପୁର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ରାଜ୍ୟର ପ୍ରଗତି ଏବଂ ଅଭିବୃଦ୍ଧି ଯାତ୍ରାରେ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ୱଙ୍ଗ ପ୍ରକାଶ କରିଛନ୍ତି ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ । ସିଙ୍ଗାପୁର ପକ୍ଷରୁ ହାଇକମିଶନରଙ୍କ ସହ ମୁମ୍ବାଇର କନସୁଲ୍-ଜେନେରାଲ୍ ଶ୍ରୀ ଚଙ୍ଗ୍ ମିଙ୍ଗ୍ ଫୁଙ୍ଗ୍ ଏବଂ ହାଇକମିଶନର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
.................
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା