
କେନ୍ଦୁଝର, ୧୭ ଜୁନ୍ (ହି.ସ. ) ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଙ୍କ ଆହ୍ୱାନ କ୍ରମେ ଆଜି କେନ୍ଦୁଝର ଜିଲ୍ଲାର ସମସ୍ତ ୧୩ଟି ତହସିଲରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ , ସହକାରୀ ରାଜସ୍ୱ ନିରୀକ୍ଷକ , ରାଜସ୍ୱ ସୁପରଭାଇଜର ଓ ଅମିନମାନେ ନିଜ ନିଜ ତହସିଲଦାରଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସଂଘ ପକ୍ଷରୁ ଦାଖଲ ହୋଇଥିବା ସ୍ମାରକପତ୍ରରେ ରାଜ୍ୟରେ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ଉପରେ ଦିନକୁ ଦିନ ବଢ଼ି ଚାଲିଥିବା ଅମାନବୀୟ କାର୍ଯ୍ୟଭାର, ଦୀର୍ଘଦିନ ଧରି ଖାଲି ପଡ଼ିଥିବା ପଦବୀ ପୂରଣରେ ସରକାରଙ୍କ ଉଦାସୀନତା, ଭ୍ରମଣ ଭତା ଓ ମୋବାଇଲ ଭତା ପ୍ରଦାନରେ ବିଳମ୍ବ, ଗ୍ରୁପ-ଡି କର୍ମଚାରୀଙ୍କ ଅଭାବ, ଆବଶ୍ୟକ ଭିତିଭୂମି ସୁବିଧାର ଅନୁପସ୍ଥିତି ଏବଂ ଅଣ-ରାଜସ୍ୱ କାର୍ଯ୍ୟରେ ନିୟୋଜନ ଭଳି ଗୁରୁତର ସମସ୍ୟା ଉଲ୍ଲେଖ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ରାଜ୍ୟରେ ପ୍ରାୟ ୪୬ ପ୍ରତିଶତ ରାଜସ୍ୱ କ୍ଷେତ୍ର ପଦବୀ ଖାଲି ରହିଥିବାବେଳେ ଅବଶିଷ୍ଟ କର୍ମଚାରୀମାନଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ଲଦି ଦିଆଯାଉଛି।
ସଂଘ ଦାବି କରିଛି ଯେ ସରକାର ତୁରନ୍ତ ଖାଲି ପଦବୀ ପୂରଣ, କ୍ୟାଡର ପୁନର୍ଗଠନ, ଉ୨ଉ କାର୍ଯ୍ୟର ଯୁକ୍ତିସଙ୍ଗତ ସରଳୀକରଣ, ଭ୍ରମଣ ଭତା ଓ ମୋବାଇଲ ଭତା ବୃଦ୍ଧି, ଲାପଟପ୍, ପ୍ରିଂଟର, ଇଂଟରନେଟ ସୁବିଧା ଯୋଗାଣ ଏବଂ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କୁ ଅଣ-ରାଜସ୍ୱ କାର୍ଯ୍ୟରୁ ମୁକ୍ତ କରିବା ପାଇଁ ପଦକ୍ଷେପ ନିଅନ୍ତୁ।
ସଂଘର ଜିଲ୍ଲା ଶାଖା ପକ୍ଷରୁ କୁହାଯାଇଛି ଯେ ଦୀର୍ଘଦିନ ଧରି ଦାବିଗୁଡ଼ିକ ଅଣଦେଖା କରାଯାଉଥିବାରୁ ରାଜ୍ୟ ସଂଘର ନିଷ୍ପତି ଅନୁସାରେ “ମିଶନ ସ୍ୱାଭିମାନ” ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଦାବି ପୂରଣ ନ ହେଲେ ଆସନ୍ତା ୨୨ ଜୁନରେ କଳା ବ୍ୟାଜ୍ ପରିଧାନ, ୨୫ ଜୁନରେ ସରକାରୀ ହ୍ୱାଟସଆପ୍ ଗ୍ରୁପରୁ ବାହାରିବା ଏବଂ ୧ ଜୁଲାଇରୁ ଗଣଛୁଟି ଆନ୍ଦୋଳନ କରାଯିବ ବୋଲି ସତର୍କ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ବାଂଶପାଳ, ବଡ଼ବିଲ, ଚମ୍ପୁଆ, ଘସିପୁରା, ଘଟଗାଁ, ହରିଚନ୍ଦନପୁର, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା, ସାହାରପଡ଼ା, ତେଲକୋଇ ଓ ଯୋଡ଼ା ତହସିଲର ରାଜସ୍ୱ କ୍ଷେତ୍ର କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ତହସିଲଦାରମାନଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA