ଓଡ଼ିଆ ପାଠ୍ୟପୁସ୍ତକରେ ଭୁଲ ବାହାରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ
ଭୁବନେଶ୍ୱର ,୧୭ ଜୁନ୍ (ହି.ସ)- ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ଭୁଲ ବାହାରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ ନବୀନ ଲେଖିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ଶ
ଓଡ଼ିଆ ପାଠ୍ୟପୁସ୍ତକରେ ଭୁଲ ବାହାରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ


ଭୁବନେଶ୍ୱର ,୧୭ ଜୁନ୍ (ହି.ସ)- ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ଭୁଲ ବାହାରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ ନବୀନ ଲେଖିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ଶହଶହ ଭୁଲ ବାହାରିବା ବିଜେପି ସରକାରର ଅତ୍ୟନ୍ତ ଦାୟିତ୍ୱହୀନ ତଥା ଖାମଖିଆଲି ମନୋଭାବକୁ ଦର୍ଶାଉଛି।

ପିଲାମାନଙ୍କୁ ଏ ସରକାର ଠିକ ସମୟରେ ପାଠ୍ୟପୁସ୍ତକ ଯୋଗାଇ ପାରୁନଥିବା ବେଳେ, ମିଳିଥିବା ପାଠ୍ୟପୁସ୍ତକରେ ବି ଅନେକ ଭୁଲ ବାହାରିବା ପିଲାଙ୍କ ପାଠପଢ଼ା ଆଶାକୁ ଭାଙ୍ଗି ଦେଇଛି। ଶିକ୍ଷା ହେଉଛି ଜୀବନର ମେରୁଦଣ୍ଡ, ଶିକ୍ଷା ଫିଟାଇଥାଏ ସମୃଦ୍ଧିର ବାଟ। ହେଲେ ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବିଜେପି ସରକାର ପିଲାଙ୍କ ଭବିଷ୍ୟତ ଏମିତି ଗଢ଼ିବାକୁ ଚାହୁଁଛି?

ମହାପୁରୁଷଙ୍କ ନାମକୁ କଦର୍ଥ କରିବା, ଗଞ୍ଜାମ ବଦଳରେ ବ୍ରହ୍ମପୁରକୁ ଜିଲ୍ଲା ଭାବେ ଅଭିହିତ କରିବା, ଭୁଲ ବନାନ ଲେଖାଯିବା ଛୋଟିଆ କଥା ନୁହେଁ। 'ଓଡ଼ିଆ ଅସ୍ମିତା'ର ନାରା ଦେଇ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଆ ଭାଷା ଓ ଲିପିକୁ ସର୍ବାଧିକ କଦର୍ଥ କରାଯାଇଛି।

ଶୈଶବରୁ ପିଲାମାନଙ୍କ ଶିକ୍ଷା ସହ ବିଜେପି ସରକାର କରୁଥିବା ସାଲିସ୍ କଦାପି କ୍ଷମଣୀୟ ନୁହେଁ। ତୁରନ୍ତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହ ପିଲାମାନଙ୍କ ଉତମ ଶିକ୍ଷା ସୁନିଶ୍ଚିତ କରାଯାଉ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande