ଏଫ୍ସିଆରଏ ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, 24 ଜୁନ୍ (ହି.ସ.) ବିଦେଶୀ ଅନୁଦାନ ନିୟମନ ଆଇନ (ଏଫ୍ସିଆରଏ) ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଉତରଦାୟୀ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ସଂସ୍କାରକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ବିଦେଶୀ ଅନୁଦାନର ବ୍ୟବହାର ଘୋଷିତ ଉଦ୍ଦେଶ୍ୟ ମଧ୍ୟରେ ସୀମିତ ରହିବା ସ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 24 ଜୁନ୍ (ହି.ସ.) ବିଦେଶୀ ଅନୁଦାନ ନିୟମନ ଆଇନ (ଏଫ୍ସିଆରଏ) ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଉତରଦାୟୀ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ସଂସ୍କାରକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ବିଦେଶୀ ଅନୁଦାନର ବ୍ୟବହାର ଘୋଷିତ ଉଦ୍ଦେଶ୍ୟ ମଧ୍ୟରେ ସୀମିତ ରହିବା ସହ ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ଓ ଉତରଦାୟିତ୍ୱ ନିଶ୍ଚିତ କରାଯିବା ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆରେ ପ୍ରକାଶିତ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଠୋର ନିୟମ, ପ୍ରକୃତ ଦାତାଙ୍କ ଅନିବାର୍ଯ୍ୟ ପରିଚୟ, ଅନୁଦାନ ବ୍ୟବହାରର କ୍ଷେତ୍ରସ୍ତରୀୟ ଯାଞ୍ଚ, କାର୍ଯ୍ୟକଳାପ ଉପରେ ବର୍ଦ୍ଧିତ ନିରୀକ୍ଷଣ ଏବଂ ଧର୍ମାନ୍ତରଣମୂଳକ କାର୍ଯ୍ୟକଳାପ ଉପରେ ସ୍ପଷ୍ଟ ନିଷେଧାଜ୍ଞା ଭଳି ବ୍ୟବସ୍ଥା ମାଧ୍ୟମରେ କେନ୍ଦ୍ର ସରକାର ଏଫ୍ସିଆରଏ ଢାଞ୍ଚାକୁ ଯଥେଷ୍ଟ ସୁଦୃଢ଼ କରିଛନ୍ତି।

ସେ କହିଛନ୍ତି ଯେ, ଏହି ସଂସ୍କାର ଏକ ସ୍ପଷ୍ଟ ବାର୍ତା ଦେଉଛି ଯେ ଭାରତ ବିକାଶ, ଶିକ୍ଷା ଓ ଜନକଲ୍ୟାଣମୂଳକ ପ୍ରକୃତ ପଦକ୍ଷେପକୁ ସ୍ୱାଗତ କରୁଛି। କିନ୍ତୁ ବିଦେଶୀ ପାଣ୍ଠିକୁ କୌଣସି ଗୁପ୍ତ ଉଦ୍ଦେଶ୍ୟ, ବିଚାରଧାରାଗତ ପ୍ରଭାବ ବିସ୍ତାର କିମ୍ବା ଜାତୀୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସଂଶୋଧନ ବିଦେଶୀ ଅନୁଦାନର ବ୍ୟବହାରରେ ସ୍ୱଚ୍ଛତା, ଉତରଦାୟିତ୍ୱ ଓ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ସହ ଭାରତର ସାର୍ବଭୌମତ୍ୱ, ସାମାଜିକ ସଦ୍ଭାବ ଏବଂ ସାଂସ୍କୃତିକ ମୂଲ୍ୟବୋଧର ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଶ୍ରୀ ମାଝୀ କହିଛନ୍ତି ଯେ, ତାଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଜାତୀୟ ଏକତାର ସୁରକ୍ଷା, ଅନୁଷ୍ଠାନଗତ ସୁଦୃଢ଼ତା ଏବଂ ରାଷ୍ଟ୍ର ନିର୍ମାଣ ଓ ଜନକଲ୍ୟାଣର ବୃହତ୍ତର ଲକ୍ଷ୍ୟ ପୂରଣ ପାଇଁ ନିରନ୍ତର ଭାବେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛି। ବିଦେଶୀ ଅନୁଦାନର ପ୍ରତ୍ୟେକ ବ୍ୟବହାର ଦେଶ ଗଠନ ଓ ଜନହିତକୁ ଆଗକୁ ନେବାରେ ସହାୟକ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande