

ବଲାଙ୍ଗିର, 24 ଜୁନ୍ (ହି.ସ.): ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଆଜି ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ “ବିକାଶ ର ଧାରା, ଓଡ଼ିଶା ସାରା” ର ଦ୍ଵିତୀୟ ଦିନରେ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଆଜିର କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ବୋର୍ଡ ର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପାଳଜୀ ପାଣିଗ୍ରାହୀ, ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପରିଷଦ ପ୍ରତିନିଧି ମାଧବ ସାଏ ଓ ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ତରଣୀ ସୁନା, ଜିଲ୍ଲା କୃଷି ଅଧିକାରୀ ଧୀରେନ ସିଂ ବରିହା, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ସାରଦା ପ୍ରସାଦ ସିଂ ବରିହା, ବରିଷ୍ଠ ବୈଜ୍ଞାନିକ ଡାଃ. ସତ୍ୟମୟ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
ରାସାୟନିକ ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର ଯୋଗୁଁ ଆମର ମାଟି, ଜଳ ଏବଂ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ଉପରେ ପଡୁଛି। ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି ଜୈବିକ ବା ପ୍ରାକୃତିକ ଚାଷ । ଜୈବ କୃଷି କେବଳ ଏକ ଚାଷ ପ୍ରଣାଳୀ ନୁହେଁ, ଏହା ହେଉଛି ଆମର ପରମ୍ପରା ଏବଂ ଭବିଷ୍ୟତର ସୁରକ୍ଷା ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଗୋବର ସାର, କମ୍ପୋଷ୍ଟ ଏବଂ ଜିଆ ସାର ବ୍ୟବହାର କରି ମାଟିର ପ୍ରାକୃତିକ ଶକ୍ତିକୁ କିପରି ଫେରାଇ ଅଣାଯାଇପାରିବ । ଜୈବିକ ପଦ୍ଧତିରେ ଚାଷ କଲେ ଅନ୍ୟ ସାର ଉପରେ ନିର୍ଭର କରିବାକୁ ପଡେନାହିଁ, ଯାହାଦ୍ୱାରା ଚାଷ ଖର୍ଚ୍ଚ କମିବା ସହ ଚାଷୀଙ୍କ ଶୁଦ୍ଧ ମୁନାଫା ବୃଦ୍ଧି ପାଇଥାଏ। ବର୍ତ୍ତମାନ ସମୟରେ ଜୈବିକ ଉତ୍ପାଦର ଚାହିଦା ଜିଲ୍ଲା ତଥା ରାଜ୍ୟରେ ବହୁତ ଅଧିକ ରହିଛି। ଚାଷୀମାନେ ସେମାନଙ୍କ ଉତ୍ପାଦ ଫସଲର ସଠିକ୍ ମୂଲ୍ୟ କିପରି ପାଇପାରିବେ, ସେଥିପାଇଁ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ଇତ୍ୟାଦି ଉପରେ ଅତିଥି ଓ କୃଷି ବିଶେଷଜ୍ଞମାନେ ଆଲୋଚନା କରିଥିଲେ ।
ଏହି ଅବସରରେ ୧୩ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ୩ଜଣଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟାଦେଶ ଦିଆଗଲା ।
କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ବିଭାଗ ଏବଂ ଜଳ ଛାୟା, ପ୍ରାଣୀ ସମ୍ପଦ ବିକାଶ ଓ ମତ୍ସ୍ୟ ସମ୍ପଦ ବିକାଶ, ଜଳ ସମ୍ପଦ, ସମବାୟ ବିଭାଗ ଓ ଏପିକଲ୍ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ପାରମ୍ପରିକ ଜ୍ଞାନକୌଶଳରେ ଚାଷ କରି ସଫଳ ହୋଇଥିବା ଚାଷୀଙ୍କୁ ଏହି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ପ୍ରତିଟି ଗାଁରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସଂକଳ୍ପ ନିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ