
ଚମ୍ପୁଆ ୨୫ ଜୁନ୍ (ହି.ସ.)ଚମ୍ପୁଆ ବ୍ଲକରେ ସରକାରୀ ସ୍କୁଲ ପିଲାଙ୍କ ପୋଷାକ ବିତରଣରେ ପୁଣି ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଗଣଶିକ୍ଷା ବିଭାଗର ନିୟମ ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦୁଇ ହଳ ପୋଷାକ, ଜୋତା, ମୋଜା, ହାଉସ୍ ଡ୍ରେସ୍ (ଘର ପୋଷାକ) ଏବଂ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଭେଣ୍ଡରମାନଙ୍କୁ ଟେଣ୍ଡର ଜରିଆରେ ଦାୟିତ୍ୱ ଦିଆଯାଇଛି। ମାତ୍ର ଚଳିତ ବର୍ଷ ମଧ୍ୟ ଗତବର୍ଷ ଭଳି ସମାନ ଦୁର୍ନୀତିର ପୁନରାବୃତ୍ତି ଘଟିଛି। ଛାତ୍ରଛାତ୍ରୀଙ୍କ ଶରୀରର ଉପଯୁକ୍ତ ମାପ ନନେଇ କେବଳ ଆନୁମାନିକ ପିଲା ସଂଖ୍ୟା ଗଣତି କରି ଡ୍ରେସ୍ ଯୋଗାଇ ଦିଆଯାଇଛି। ଫଳରେ କେଉଁ ପିଲାଙ୍କୁ ଅତି ଛୋଟ ତ କେଉଁ ପିଲାଙ୍କୁ ବହୁତ ବଡ଼ ସାଇଜର ପୋଷାକ ମିଳିଛି। ଅନେକ ସ୍କୁଲରେ ପୋଷାକର ସେଟ୍ ସମ୍ପୂର୍ଣ୍ଣ ନାହିଁ। କେଉଁଠି ଫ୍ରକ୍ ଦିଆଯାଇଛି ତ ପ୍ୟାଣ୍ଟ ନାହିଁ, ପୁଣି କେଉଁଠି ଚୁଡ଼ିଦାର ଦିଆଯାଇଛି ତ ଚୁନରି ଗାଏବ ଅଛି। ଠିକାଦାର ବା ଭେଣ୍ଡରମାନେ ମନମୁଖୀ ଭାବେ ଅଧାପନ୍ତରିଆ ଡ୍ରେସ୍ଗୁଡ଼ିକୁ ସ୍କୁଲ କାର୍ଯ୍ୟାଳୟରେ ଜମା କରି ଚାଲି ଯାଉଛନ୍ତି। ଗତବର୍ଷର ଅଭିଯୋଗ ସତ୍ୱେ ଏହି ବର୍ଷ ମଧ୍ୟ ସମାନ ଭୁଲ୍ କରାଯାଇଛି। ଏହି ବ୍ୟାପକ ଅନିୟମିତତା ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବି ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।
ସରକାରୀ ଅର୍ଥର ଏଭଳି ଅପବ୍ୟବହାର ଏବଂ କୋମଳମତି ଶିଶୁଙ୍କ ଅଧିକାର ସହ ଖେଳା ଯାଉଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta