
ଜୟପୁର, ୦୮ ଜୁନ୍ (ହି.ସ.) - ଭୁବନେଶ୍ୱର ରେଡକ୍ରସ ଭବନରେ ମୈତ୍ରେୟୀ ପଂଚମ ବନ୍ଧୁମିଳନ ଏବଂ ପତ୍ରିକା ଉନ୍ମୋଚନ ଉତ୍ସବରେ ଶିଶୁଗାଳ୍ପିକା ବିଜୟଲକ୍ଷ୍ମୀ ପାଣିଗ୍ରାହୀଙ୍କର ଷଷ୍ଠ ସଙ୍କଳନ ଗପ ବଗିଚା (ଶିଶୁଗଳ୍ପ ସଙ୍କଳନ) ଲୋକାର୍ପିତ ହୋଇସାରିଛି। ମଂଚରେ ଅନୁଷ୍ଠାନର ସଭାପତି ଡ. ସୁଷମା ମିଶ୍ରଙ୍କ ସଭାପତିତ୍ୱରେ ସମ୍ପାଦିକା ବିଶିଷ୍ଠ ଗାଳ୍ପିକା ଲକ୍ଷ୍ମୀ ଚାନ୍ଦ, ଅତିଥି ବିଶିଷ୍ଠ ଲେଖିକା କବିତା ବାରିକ ଓ ବିଶିଷ୍ଠ ଅନୁବାଦିକା କନକମଞ୍ଜରୀ ସାହୁ ଉପସ୍ଥିତ ଥିଲେ। ପ୍ରକାଶିକା ମାନମୟୀ ରଥ ଓ ମଂଚ ଆସୀନ ଅତିଥିଙ୍କ ଉପସ୍ଥିତିରେ ପୁସ୍ତକଟି ଉନ୍ମୋଚିତ ହୋଇସାରିଛି। ଗତକାଲି ଏହି ସାହିତ୍ୟ ସମ୍ମିଳନୀରେ ସତୁରୀରୁ ଉର୍ଦ୍ଧ୍ୱ ସାହିତ୍ୟିକଙ୍କ ଉପସ୍ଥିତିରେ ମୈତ୍ରେୟୀ ସାହିତ୍ୟ ସର୍ଜନାରେ ରାଜକିଶୋର ଦାସ, ଶରତ କୁମାର ସାହୁ, ଅରବିନ୍ଦ ବେହେରା, ସୁମିତ ପଣ୍ଡାଙ୍କୁ ସ୍ମୃତି ସମ୍ମାନ ପ୍ରଦାନ କରାଯିବା ବେଳେ ଡ. ମଞ୍ଜୁବାଳା ପଣ୍ଡା, ଭବାନୀ ଭୂୟାଁ,ରାଜଲକ୍ଷ୍ମୀ ତ୍ରିପାଠୀ, ମୌସୁମୀ ଦାସ, ବିଜୟଲକ୍ଷ୍ମୀ ନାୟକଙ୍କୁ ମୈତ୍ରେୟୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ମଂଚ ଆସୀନ ଅତିଥୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ମୈତ୍ରେୟୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅତିଥି ପରିଚୟ ନନ୍ଦିତା ମହାନ୍ତି ପ୍ରଦାନ କରିଥିବା ବେଳେ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ମୈତ୍ରେୟୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଓ ସୁଚିଶ୍ମିତା ଦାଶ। ପ୍ରଥମ ଅଧିବେଶନରେ ସୁଚିତ୍ରା ମିଶ୍ରଙ୍କ ଧନ୍ୟବାଦ ଅର୍ପଣ ପରେ କବିତା ପାଠ କରାଯାଇଥିଲା। ଓଡ଼ିଶାର କୋଣାନୁକୋଣରୁ ମୈତ୍ରୀୟୀମାନଙ୍କର ଏହି ବିଶେଷ ସମାବେଶରେ ଅଭିମାନ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ଶିଶୁଗଳ୍ପ ସଙ୍କଳନଟି ବହୁଳ ପାଠକୀୟତା ଲାଭକରିବ ବୋଲି ଉପସ୍ଥିତ ସାହିତ୍ୟିକଙ୍କ ମହଲରେ ଚର୍ଚ୍ଚା ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି