
ସମ୍ବଲପୁର, ୦୧, ଜୁଲାଇ (ହି.ସ.) ଆୟ ବହିର୍ଭୂତ ସମ୍ପତି (ଡିଏ) ମାମଲାରେ ବୁର୍ଲା ଭିମସାର ସୁପରିଂଟେଣ୍ଡେଟ କାର୍ଯ୍ୟାଳୟର ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କୁ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି। ଭିଜିଲାନ୍ସ ତଦନ୍ତରେ ଅଶ୍ୱିନୀଙ୍କ ଜଣାଶୁଣା ଆୟର ଉତ୍ସ ତୁଳନାରେ ୧୦୪ ପ୍ରତିଶତ ଅଧିକ ସମ୍ପତି ଥିବା ଜଣାପଡ଼ିଛି। ଏହି ସମ୍ପତିର ସନ୍ତୋଷଜନକ ହିସାବ ସେ ଦେଇପାରି ନଥିବାରୁ ତାଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନଂ–୦୮, ତାରିଖ ୦୧.୦୭.୨୦୨୬ ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ–୨୦୧୮ର ଧାରା ୧୩(୨) ସହ ୧୩(୧)(ବି) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ଚଢ଼ାଉ ବେଳେ ଅଶ୍ୱିନୀ ମେହେର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ ହୋଇଛି। ସେଥିରେ ବୁର୍ଲାର ସୌରଭ ବିହାରରେ ନିର୍ମାଣାଧୀନ ପ୍ରାୟ ୮୧୪୫ ବର୍ଗଫୁଟ୍ ବିଶିଷ୍ଟ ଚାରି ମହଲା କୋଠା, ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଆଉ ଏକ କୋଠା, ବରଗଡ଼ ଜିଲ୍ଲାର ଗୋବିନ୍ଦପାଲିରେ ଆଉ ଏକ କୋଠା, ବୁର୍ଲାରେ ଏକ ଷ୍ଟୋର ରୁମ୍, ୧୦ଟି ମୂଲ୍ୟବାନ ପ୍ଲଟ୍ (ବୁର୍ଲାରେ ୬, ସମ୍ବଲପୁରରେ ୨ ଓ ବରଗଡ଼ରେ ୨), ୮୩ ଗ୍ରାମ ସୁନା ଅଳଙ୍କାର, ଦୁଇଟି ଦୁଇଚକିଆ ଯାନ ଏବଂ ପ୍ରାୟ ୧୬.୫୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ଘରୋଇ ସାମଗ୍ରୀ ସାମିଲ ରହିଛି। ଭିଜିଲାନ୍ସ ପକ୍ଷରୁ ସମସ୍ତ ସମ୍ପତିର ତାଲିକା ପ୍ରସ୍ତୁତ ଓ ଆୟ-ବ୍ୟୟର ଯାଂଚ ପରେ ତାଙ୍କ ନିକଟରେ ଜଣାଶୁଣା ଆୟଠାରୁ ୧୦୪ ପ୍ରତିଶତ ଅଧିକ ସମ୍ପତି ଥିବା ସ୍ପଷ୍ଟ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ