
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ସାଧାରଣ ବଂଟନ ବ୍ୟବସ୍ଥାର ସୁଲଭ ମୂଲ୍ୟ ଦୋକାନ ମାନଙ୍କରେ ବେସରକାରୀ ଡିଲରଙ୍କ ବଦଳରେ ଆନୁଷ୍ଠାନିକ ଡିଲରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିୟୋଜିତ କରିବାର ସମୟ ସୀମା ୩୧ ମାର୍ଚ୍ଚ ୨୦୨୬ ଦିନ ସମାପ୍ତ ହୋଇ ସାରିଛି । ଏକକାଳୀନ ସମସ୍ତ ବେସରକାରୀ ଡିଲର ମାନଙ୍କୁ ଉଚ୍ଛେଦ କରିବାରେ ପ୍ରଶାସନିକ ଜଟିଳତା ଏବଂ ସାଧାରଣ ବଂଟନରେ ଅବ୍ୟବସ୍ଥାର ଆଶଙ୍କା ରହିଛି। ତେଣୁ ବେସରକାରୀ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲରମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆସନ୍ତା ୩୦.୦୯.୨୦୨୬ ପର୍ଯ୍ୟନ୍ତ ପୁନଃ ବର୍ଦ୍ଧିତ କରାଯିବାକୁ କ୍ୟାବିନେଟ ନିଷ୍ପତି ନେଇଛି।
ସୂଚନାଯୋଗ୍ୟ ଯେ ସାଧାରଣ ବଂଟନ ବ୍ୟବସ୍ଥାର ସମସ୍ତ କାର୍ଯ୍ୟ ୧୨୩୪୯ ଗୋଟି ସୁଲଭ ମୂଲ୍ୟ ଦୋକାନ ମାନଙ୍କ ମାଧ୍ୟମରେ ସଂପାଦିତ ହେଉଛି । ଉପରୋକ୍ତ ସୁଲଭ ମୂଲ୍ୟ ଦୋକାନ ମାନଙ୍କ ମଧ୍ୟରୁ, ବେସରକାରୀ ଡିଲରଙ୍କ ସଂଖ୍ୟା ୫୪୭୨ ଅଟେ । ସେହିପରି, ଆନୁଷ୍ଠାନିକ ଖାଉଟୀ ଡିଲର କେନ୍ଦ୍ର ଯଥା, ଗ୍ରାମପଞ୍ଚାୟତ ଦ୍ୱାରା ପରିଚାଳିତ କେନ୍ଦ୍ର ସଂଖ୍ୟା ୪୦୫୬, ମହିଳା ସ୍ୱୟଂ ସହାୟତା ଗୋଷ୍ଠୀ ଦ୍ୱାରା ପରିଚାଳିତ କେନ୍ଦ୍ର ସଂଖ୍ୟା ୨୩୪୮, ସ୍ୱୟଂ ସହାୟତା ଗୋଷ୍ଠୀ ଦ୍ୱାରା ପରିଚାଳିତ କେନ୍ଦ୍ର ସଂଖ୍ୟା ୧୭୯, ସେବା ସମବାୟ ସମିତି ଦ୍ୱାରା ପରିଚାଳିତ କେନ୍ଦ୍ର ସଂଖ୍ୟା ୨୭୫ ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ପରିଚାଳିତ କେନ୍ଦ୍ର ସଂଖ୍ୟା ୧୯ ଅଟେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା