
ପୁରୀ, ୧୯ ଜୁଲାଇ (ହି.ସ.)- ଆଷାଢ଼ ଶୁକ୍ଳ ପଂଚମୀ ତିଥିରେ ରବିବାର ରାତିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହୋଇଛି । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ରାତ୍ର ପ୍ରାୟ ୯ଟା ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ଦତ ମହାପାତ୍ର ସେବକମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରିଥିଲେ ।
ଶ୍ରୀଜୀଉଙ୍କ ବନକ ଲାଗି ତଥା ଶ୍ରୀମୁଖ ଶୃଙ୍ଗାରରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥାଏ । ବନକଲାଗି ଶ୍ରୀଜୀଉଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ୱାର ବନ୍ଦ ରହିଥାଏ । ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ