୫ ବର୍ଷ ନପୂରୁଣୁ ଭାଙ୍ଗି ପଡ଼ିଲା ମାର୍କେଟ କମ୍ପ୍ଲେକ୍ସର ସୁରକ୍ଷା ବାଡ଼ ସ୍ଲାପ୍
ଚମ୍ପୁଆ, ୨୦ ଜୁଲାଇ (ହି.ସ.)- ନିମ୍ନମାନର ନିର୍ମାଣ କାର୍ଯ୍ୟର ଆଉ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚମ୍ପୁଆ ସହରରେ। ସରକାରୀ ଅର୍ଥର ଶ୍ରାଦ୍ଧ କରାଯାଇ କିଭଳି କାମ କରାଯାଉଛି, ତାହା ପ୍ରମାଣିତ କରିଛି ଚମ୍ପୁଆ ଜେଲଖାନା ସମ୍ମୁଖରେ ଥିବା ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ। ନିର୍ମାଣର ମାତ୍ର ୫
୫ ବର୍ଷ ନପୂରୁଣୁ ଭାଙ୍ଗି ପଡ଼ିଲା ମାର୍କେଟ କମ୍ପ୍ଲେକ୍ସର ସୁରକ୍ଷା ବାଡ଼ ସ୍ଲାପ୍


ଚମ୍ପୁଆ, ୨୦ ଜୁଲାଇ (ହି.ସ.)- ନିମ୍ନମାନର ନିର୍ମାଣ କାର୍ଯ୍ୟର ଆଉ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚମ୍ପୁଆ ସହରରେ। ସରକାରୀ ଅର୍ଥର ଶ୍ରାଦ୍ଧ କରାଯାଇ କିଭଳି କାମ କରାଯାଉଛି, ତାହା ପ୍ରମାଣିତ କରିଛି ଚମ୍ପୁଆ ଜେଲଖାନା ସମ୍ମୁଖରେ ଥିବା ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ। ନିର୍ମାଣର ମାତ୍ର ୫ ବର୍ଷ ନଯାଉଣୁ ଏହି କମ୍ପ୍ଲେକ୍ସର ସିଡ଼ି ଗୃହ ଉପରେ ଥିବା ସିମେଣ୍ଟ କଂକ୍ରିଟ ସୁରକ୍ଷା ବାଡ଼ ସ୍ଲାପ୍ ଟି ସମ୍ପୂର୍ଣ୍ଣ ଭାଙ୍ଗି ଝୁଲି ପଡ଼ିଛି। ତେବେ ସୌଭାଗ୍ୟବଶତଃ ଏକ ବଡ଼ ବିପତ୍ତିରୁ ସ୍ଥାନୀୟ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ପ୍ରାୟ ୫ ବର୍ଷ ପୂର୍ବେ ବହୁ ବ୍ୟୟରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ, ନିର୍ମାଣ ଶେଷ ହେବାର ଏତେ ବର୍ଷ ପରେ ମଧ୍ୟ ଏହାକୁ ଦୋକାନୀମାନଙ୍କୁ ହସ୍ତାନ୍ତର କରାଯାଇ ନାହିଁ। ଫଳରେ ସମ୍ପୂର୍ଣ୍ଣ କମ୍ପ୍ଲେକ୍ସଟି ବନ୍ଦ ପଡ଼ି ରହିଛି। ବ୍ୟବହାର ହେବା ପୂର୍ବରୁ ହିଁ କୋଠାର ସୁରକ୍ଷା ବାଡ଼ ଭାଙ୍ଗିବା ସ୍ଥାନୀୟ ଅଞ୍ଚଳରେ ନିର୍ମାଣର ସ୍ଥାୟିତ୍ୱ ଓ ଗୁଣବତ୍ତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସିଡ଼ି ଗୃହର ଠିକ୍ ପଛ ପଟେ ଏକ ଚାହା ଦୋକାନ ରହିଛି, ଯେଉଁଠାରେ ସବୁବେଳେ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ଜମିଥାଏ। ଗତକାଲି ସନ୍ଧ୍ୟା ସମୟରେ ହଠାତ ଏହି ସୁରକ୍ଷା ବାଡ଼ ସ୍ଲାପ୍ ଟି ଭାଙ୍ଗି ଚାହା ଦୋକାନର ଟିଣ ଛାଉଣୀ ଉପରେ ପଡ଼ିଥିଲା। ପ୍ରବଳ ଶବ୍ଦ ଯୋଗୁଁ ଆଖପାଖ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହି ଦୁର୍ଘଟଣାରେ ଦୋକାନର ଟିଣ ଛାଉଣୀଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ, ସେଠାରେ ଉପସ୍ଥିତ ଥିବା ଲୋକେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଯଦି ଏହି ସ୍ଲାପ୍ ଟି ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରେ ପଡ଼ିଥାନ୍ତା, ତେବେ କୌଣସି ବଡ଼ ଧରଣର ଜୀବନହାନି ଘଟିଥାନ୍ତା ବୋଲି ଆଶଙ୍କା କରାଯାଉଛି। ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି ହୋଇଥିବା ମାର୍କେଟ କମ୍ପ୍ଲେକ୍ସର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀ ଥିବା ଠିକାଦାର ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande