
ଝାରସୁଗଡ଼ା, ୨୦ ଜୁଲାଇ (ହି.ସ.)- ରେଙ୍ଗାଲି ପୋଲିସ ମାତ୍ର ୧୦ ଘଣ୍ଟା ମଧ୍ୟରେ ଏକ ଘର ଭାଙ୍ଗି ଚୋରି ମାମଲାର ସଫଳ ପର୍ଦ୍ଦାଫାସ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଝାରସୁଗୁଡ଼ା ଜିଲ୍ଲାର ଭିକମପାଲି ଗ୍ରାମର ଏକ ତାଲା ପଡ଼ିଥିବା ଘରୁ ଦୁଇଟି ଇଣ୍ଡେନ୍ ଏଲପିଜି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ନେଇ ଅଭିଯୋଗ ମିଳିବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୋଲିସ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଉଭୟ ଏଲପିଜି ସିଲିଣ୍ଡର ଉଦ୍ଧାର କରିଛି। ଏଥିସହ ଅପରାଧରେ ବ୍ୟବହୃତ ଏକ ମହିନ୍ଦ୍ରା ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଘର ମାଲିକ ବାହାରେ ଥିବା ସୂଚନା ପାଇବା ପରେ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଘରର ଛାତ ଓ ଝରକା ଭାଙ୍ଗି ଭିତରକୁ ପ୍ରବେଶ କରି ଚୋରି କରିଥିଲେ। ଝାରସୁଗୁଡ଼ା ପୋଲିସ ପକ୍ଷରୁ କୁହାଯାଇଛି ଯେ, ଅପରାଧର ତ୍ୱରିତ ତଦନ୍ତ, ଶୀଘ୍ର ପର୍ଦ୍ଦାଫାସ ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବା ପ୍ରତି ପୋଲିସ ସର୍ବଦା ପ୍ରତିବଦ୍ଧ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ