
ଭଦ୍ରକ, ୧୯ ଜୁଲାଇ (ହି.ସ.) - ୧୯୭୧ ମହାବାତ୍ୟା ଠାରୁ ଧାମରା ଅଂଚଳରେ ପ୍ରାକୃତିକ ଉପାୟରେ ଲୁଣା ଜଙ୍ଗଲର ଅଭିବୃଦ୍ଧି ଘଟି ଆସିବା ସହ ଧାମରା ଅଂଚଳରେ ବହୁ ପ୍ରାକୃତିକ ବନୀ ଜଙ୍ଗଲ ସୃଷ୍ଟି ହୋଇ ସାରିଛି। ଆଜି ଭଳି ଦିନରେ ଏହି ପ୍ରାକୃତିକ ଜଙ୍ଗଲକୁ କେବଳ ନିଜକୁ ନିଜେ ଭରଷା କରି ବଢି ଚାଲିଥିବା ବେଳେ ଧାମରା ବନ୍ଦରର ଚାଲିଥିବା ସମୁଦ୍ର ଖୋଳା କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଧାମରା ଅଂଚଳବାସୀ। ସୂଚନା ଯୋଗ୍ୟ ତଥ୍ୟ ଅନୁଯାଇ ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ବେଳାଭୂମିକୁ ନେଇ ଥିବା ବଙ୍ଗୋପ ସାଗରକୁ ଧାମରା ବନ୍ଦର କର୍ତୁପକ୍ଷ ନିଜର ବ୍ୟବସାୟିକ ଉଦ୍ୟେଶ ନେଇ ଖୋଳିଚାଲିଛନ୍ତି। ସମୁଦ୍ର ଖୋଳାରୁ ବାହାରୁଥିବା ବାଲିକୁ ନେଇ ନିକଟସ୍ଥ ବନ୍ଦରାଚଂଳରେ ଖାଲଥିବା ଜମିକୁ ପୋତି ରେଳଲାଇନ ପ୍ରସ୍ତୁତି କରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ସମୁଦ୍ର ଖୋଳା ଯାଇଥିବା ବେଳେ ଏହି ସମୁଦ୍ରକୁ ଖୋଳିବାକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। କେଉଁ ପରିସ୍ଥିତିରେ ପ୍ରଶାସନର ଅଗୋଚରରେ ଏହି ସମୁଦ୍ର ଖୋଳା ଚାଲିଛି ତାହା ର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ଅନ୍ୟ ପକ୍ଷରେ ଧାମରା ନିକଟରେ ବିଗତ ଦଶନ୍ଧି ମଧ୍ୟରେ ଗଢି ଉଠିଥିବା ଏକ ଦ୍ୱୀପ ଯାହାର ଦୈଘ୍ୟ ୪.୫କି.ମି ଏବଂ ଓସାର .୭୫୦ମିଟର ଏବଂ ଏହା ୩୨ଏକର ପରିବ୍ୟାପ୍ତ ଏହି ଦ୍ୱୀପଟି କେବଳ ବନୀ ଜଙ୍ଗଲରେ ପରିବ୍ୟାପ୍ତ। ଗୋଟିଏ ପଟରେ ସମୁଦ୍ର ଖୋଳା ହେଉଥିବା ବେଳେ ଏହାର କୁ ପରିମାଣ ସ୍ୱରୂପ ଏହି ଦ୍ୱୀପ ଟି ଆସ୍ତେ ଆସ୍ତେ ସମୁଦ୍ର ମଧ୍ୟରେ ଲୀନ ହେବାକୁ ଲାଗିଲାଣି। ଫଳରେ ଦୀର୍ଘ ଦଶନ୍ଧି ଧରି ପ୍ରାକୃତିକ ଏହି ବନୀ ଦ୍ୱୀପଟି କିଛି ଦିନ ମଧ୍ୟରେ ସଂପୂର୍ଣ ଭାବେ ସମୁଦ୍ରରେ ଲୀନ ହୋଇଯିବ ବୋଲି ଅଂଚଳବାସୀ ଚିନ୍ତା ପ୍ରକଟ କଲେଣି। ଅନ୍ୟ ପକ୍ଷରେ ଧାମରା ଅଂଚଳକୁ ସମୁଦ୍ରର ଉଚ୍ଚ ଜୁଆର ମାଡରୁ ଉପକୂଳକୁ ସୁରକ୍ଷା ପାଇବା ପାଇଁ ଥିବା ଛୋଟ ଛୋଟ ଦ୍ୱୀପ ଏବଂ ବାଲିଆଡି ଏକ ପ୍ରକାର ସୁରକ୍ଷା ବନ୍ଧ କହିଲେ ଅତ୍ୟୁକ୍ତି ହେବ ନାହିଁ ମାତ୍ର ସମୁଦ୍ର ଖୋଳା ଚାଲିଥିବା ବେଳେ ସମୁଦ୍ର କୂଳ ଆସ୍ତେ ଆସ୍ତେ ମଧ୍ୟ ଲୀନ ହେବାକୁ ବସିଛି। ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧାମରା ଅଂଚଳକୁ ହେନ୍ତାଳ ବଣ ଏବଂ ବନୀ ଗଛ ରକ୍ଷା କରୁଥିବା ବେଳେ ଆଗାମୀ ଦିନରେ ଏହି ପ୍ରାକୃତିକ ବିପର୍ଯ୍ୟୟକୁ କିପରି ରୋକ ଦିଆଯିବ ସେ ନେଇ ଧାମରା ଅଂଚଳବାସୀ ଏବଂ ଚନ୍ଦନୀପାଳ ବାଲିଚର ମତ୍ସ୍ୟଜିବୀ ସଂଘ ଚିନ୍ତା ପ୍ରକଟ କରିଛନ୍ତି। ସଂପୃକ୍ତ ମତ୍ସ୍ୟଜିବୀ ସଂଘର ଅଭିଯୋଗ ଅନୁଯାଇ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟକୁ କିପରି ସାମନା କରାଯିବ ସେଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି। ବଙ୍ଗୋପ ସାଗର ଖୋଳା ଯାଉଥିବା ବେଳେ ଏହି ଖୋଳା ବାବଦରେ ସଂପୃକ୍ତ ତହସିଲ ପ୍ରଶାସନ ପାଖରେ କୌଣସି ଖବର ନଥିବା ବେଳେ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟକୁ କିଏ ମୁକାବିଲା କରିବ ବୋଲି ଅଂଚଳବାସୀ ଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିବର୍ଷ ସାମୁଦ୍ରିକ ଜୁଆର କୂଳ ଲଂଘୁଥିବା ବେଳେ ପ୍ରାକୃତିକ ହେନ୍ତାଳ ବଣ ଏବଂ ବନୀବଣ ପାଣି ଏବଂ ବତ୍ୟା ରୁ ଏହି ଅଂଚଳକୁ ସୁରକ୍ଷା ଦେଉଥିଲା ମାତ୍ର ଆଜି ଭଳି ଦିନରେ ପ୍ରାକୃତିକ ବନର ସୁରକ୍ଷା ବନବିଭାଗ ଦେଇ ପାରୁ ନଥିବା ବେଳେ ଏହାକୁ କେଉଁ ପରିସ୍ଥିତିରେ ଉଜାଡି ଦେଉଛନ୍ତି ସେଥିପ୍ରତି ପ୍ରଶାସନ ସଜାଗ ହେବା ଜରୁରୀ ବୋଲି ଚନ୍ଦନୀପାଳ ବାଲିଚର ମତ୍ସ୍ୟଜିବୀ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ