
ନୂଆପଡ଼ା,୨ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା କୋର୍ଟ ସମ୍ମୁଖ ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଟ୍ରକ୍ ଚାପା ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିଲା।ମୃତକ ହେଲେ ସୁକଲ ମାଝୀ, ପିତା - ଅନ୍ତରାମ ମାଝୀ , ଗ୍ରାମ- ଜାମ ଗାଁ ବୋଲି ଜଣା ପଡିଛି।ଘଟଣା ପରେ ନୂଆପଡ଼ା ଜିଲ୍ଲା ଓକିଲ ସଂଘ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଥିଲା। ସଂଘର ସଦସ୍ୟମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣାରେ ବସି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ଜିଲ୍ଲା କୋର୍ଟ ସମ୍ମୁଖରେ ସ୍ଥାୟୀ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା, ଏବଂ ଜାତୀୟ ରାଜପଥରେ ଯାତାୟାତ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦାବି କରିଥିଲେ। ଏହି ଆନ୍ଦୋଳନ ଚାଲିଥିବା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଶାସନ ଓ ଜିଲ୍ଲା ଓକିଲ ସଂଘର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓକିଲ ସଂଘର ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରଥମେ ମୃତକଙ୍କ ପରିବାରକୁ ରେଡ୍ କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା। କିନ୍ତୁ ଜିଲ୍ଲା ଓକିଲ ସଂଘର ଦୃଢ଼ ଦାବି ପରେ ପ୍ରଶାସନ ସହାୟତା ରାଶିକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା। ଏହାସହ କୋର୍ଟ ସମ୍ମୁଖରେ ଟ୍ରାଫିକ ସିଗ୍ନାଲ ସ୍ଥାପନ ପ୍ରସଙ୍ଗରେ ମଧ୍ୟ ସକାରାତ୍ମକ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ଆଶ୍ୱାସନ ଦିଆଯାଇଥିବା ଜଣାପଡ଼ିଛି।ଜିଲ୍ଲା ଓକିଲ ସଂଘର ସଭାପତି କ୍ଷିତିଶ ଅଶୋକ ବୋଧନକରଙ୍କ ନେତୃତ୍ୱରେ ଉପସଭାପତି ପ୍ରକାଶ ସ୍ୱାଇଁ, ବରିଷ୍ଠ ଆଇନଜୀବୀ ମୂରଲୀଧର ପଣ୍ଡାଙ୍କ ସମେତ ବହୁ ସଂଖ୍ୟକ ଆଇନଜୀବୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।ଏହି ଘଟଣା ପୁଣିଥରେ ଜିଲ୍ଲା କୋର୍ଟ ସମ୍ମୁଖରେ ଥିବା ବ୍ୟସ୍ତବହୁଳ ଜାତୀୟ ରାଜପଥରେ ସଡ଼କ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ଆଗକୁ ଆଣିଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଦୁର୍ଘଟଣା ରୋକିବା ପାଇଁ ତୁରନ୍ତ ଟ୍ରାଫିକ ସିଗ୍ନାଲ, ସ୍ପିଡ୍ କଣ୍ଟ୍ରୋଲ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଓ ଚିତ୍ର ଏତେ ବିଚଳିତ କରିଦେଉଛି ଆମେ ଆପଣଙ୍କୁ ଦେଖାଇ ପାରିବା ନାହିଁ। ମୃତକ ପରିବାର ପ୍ରତି ଆମେ ସମବେଦନା ପ୍ରକଟ କରୁଛୁ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ