
ଝାରସୁଗୁଡ଼ା, ୦୨ ଜୁଲାଇ (ହି.ସ.) - ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ନେଇ ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ଏନ୍ୟୁମେରେସନ୍ ଫର୍ମ ବଂଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଆସନ୍ତା ୫ ଜୁଲାଇ ୨୦୨୬ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଖସଡ଼ା ଭୋଟର ତାଲିକା ସମ୍ପର୍କରେ ଦାବି ଓ ଆପତି ଦାଖଲ କରାଯାଇପାରିବ।
ଜିଲ୍ଲାପାଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ଖସଡ଼ା ଭୋଟର ତାଲିକା ଯାଂଚ କରିବା ସହ ଦାବି–ଆପତି ପ୍ରକ୍ରିୟାରେ ସକ୍ରିୟ ଭାବେ ସହଭାଗୀ ହେବାକୁ ଆହ୍ୱାନ କରିଥିଲେ। ଯେପରି କୌଣସି ଯୋଗ୍ୟ ମତଦାତା ଭୋଟର ତାଲିକାରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ବୈଠକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ଯୁବ ସଭାପତି ଗୋପାଳ ପଟେଲ, ବିଜୁ ଜନତା ଦଳ ପକ୍ଷରୁ ରଘୁନନ୍ଦନ ପାଢ଼ୀ ଓ ପ୍ରମୋଦ କୁମାର ଗଡ଼ତିଆ, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଟାଉନ ସଭାପତି ଦେବାନନ୍ଦ ବାରିକ ଓ ପୂର୍ବତନ ଟାଉନ ସଭାପତି ସଞ୍ଜୟ କୁମାର ମହାପାତ୍ର, ବହୁଜନ ସମାଜ ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ଲକ୍ଷ୍ମଣ ଉର୍ମା ଓ ଜିଲ୍ଲା ସାଧାରଣ ସମ୍ପାଦକ ଅଲେନ୍ଦ୍ର ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୦୬-ବ୍ରଜରାଜନଗର ବିଧାନସଭା କ୍ଷେତ୍ର ଲଲିତ ସୋରେଙ୍ଗ, ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୦୭-ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ସବ୍ୟସାଚୀ ପଣ୍ଡା, ଡେପୁଟି କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ, ସହକାରୀ ଜିଲ୍ଲାପାଳ (ନିର୍ବାଚନ) ସନ୍ତୋଷ କୁମାର ନାୟକ, ଦୁଷ୍ମନ୍ତ ମହାନ୍ତି ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତକ୍ଷକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ