
ଝାରସୁଗୁଡ଼ା, ୦୨ ଜୁଲାଇ (ହି.ସ.) - ପଂଚାୟତୀରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନୂତନ ପଦକ୍ଷେପ ‘ଭି ବି ଜି ରାମ ଜି’ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଜନସମ୍ମିଳନୀ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ସ୍ଥିତ ଅଡିଟରିୟମ ଠାରେ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଓ ବନ୍ଦେ ଉତ୍କଳ ଜନନୀ ଗାନ ପୂର୍ବକ କାର୍ଯ୍ୟକ୍ରମର ଭବ୍ୟ ଶୁଭାରମ୍ଭ ହୋଇଥିଲା । ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ (ଡିପିଏମ୍) ଡ଼ ପୁଷ୍ପଶ୍ରୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ‘ଭି ବି ଜି ରାମ ଜି’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗ୍ରାମୀଣ ବିକାଶରେ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାପରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ଜାତୀୟସ୍ତରରେ କାର୍ଯ୍ୟକ୍ରମର ଶୁଭାରମ୍ଭର ସିଧାପ୍ରସାରଣ ପ୍ରଦର୍ଶନ କରାଯାଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ତାଙ୍କ ବକ୍ତବ୍ୟରେ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରାମୀଣ ଭିତିଭୂମିର ବିକାଶ, ଆର୍ôଥକ ସଶକ୍ତିକରଣ ଏବଂ ତୃଣମୂଳ ସ୍ତରର ବିକାଶ ପାଇଁ ଏହି ଯୋଜନା ମାଇଲଖୁଂଟ ସାବ୍ୟସ୍ତ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଝାରସୁଗୁଡ଼ା ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ବିଭାଗ ଓ ଜନସାଧାରଣଙ୍କ ସମନ୍ୱିତ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ସମ୍ମାନୀତ ଅତିଥି ଭାବେ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଙ୍କ ପ୍ରତିନିଧି ସଞ୍ଜୟ ସିଂ ଯୋଗଦେଇ ନିଜର ବକ୍ତବ୍ୟରେ କହିଥିଲେ ଯେ ପୂର୍ବରୁ ୧୦୦ ଦିନର କର୍ମନିଯୁକ୍ତି ବଦଳରେ ବର୍ତମାନ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି ବ୍ୟବସ୍ଥା କରାଯାଇଛି। ସେହିପରି ଶ୍ରମିକଙ୍କ ମଜୁରୀ ହାର ୨୯୮ ଟଙ୍କାରୁ ବୃଦ୍ଧି ପାଇ ୩୨୭ ଟଙ୍କା କରାଯାଇଥିବାରୁ ଗ୍ରାମୀଣ ପରିବାରମାନଙ୍କ ଆର୍ôଥକ ସ୍ଥିତିରେ ଉନ୍ନତି ଆସିବ, ଫଳରେ କୌଣସି ଶ୍ରମିକ ଦେଶାନ୍ତର ହେବେ ନାହିଁ ।
ବରଗଡ଼ ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ଲୋକ ସର୍ଣ୍ଣା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନା ମାଧ୍ୟମରେ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି, ଡିଜିଟାଲ୍ ବ୍ୟବସ୍ଥା ଓ ସ୍ମାର୍ଟ ଜବ୍ କାର୍ଡ ଭଳି ସୁବିଧା ଗ୍ରାମୀଣ ଶ୍ରମିକଙ୍କୁ ସଶକ୍ତ କରିବ ଏବଂ ଏହା ଗ୍ରାମାଂଚଳର ଅର୍ଥନୀତିକୁ ମଜବୁତ କରିବା ସହ କର୍ମନିଯୁକ୍ତିର ସୁଯୋଗ ବୃଦ୍ଧି କରିବ ବୋଲି ମତବ୍ୟକ୍ତ କରିଥିଲେ ।
ମଂଚାସୀନ ସମ୍ମାନୀତ ଅତିଥି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାଏକ ତାଙ୍କ ବକ୍ତବ୍ୟରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସକ୍ରିୟ ଭାଗିଦାରୀ ଅତ୍ୟନ୍ତ ଆବଶ୍ୟକ ଏବଂ ଏହା ଗ୍ରାମାଂଚଳର ସାମଗ୍ରିକ ବିକାଶ ଏବଂ ଲୋକଙ୍କ ଜୀବନଜୀବିକାରେ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଜିଲ୍ଲା ପରିଷଦର ପିଏମ୍ (ଆଇଟି) ପ୍ରସନ୍ନ କୁମାର ଦାଶ ଯୋଜନାର ବିଭିନ୍ନ ବୈଶିଷ୍ଟ୍ୟ, ଡିଜିଟାଲ୍ ସ୍କାନିଂ ବ୍ୟବସ୍ଥା, ସ୍ମାର୍ଟ ଜବ୍ କାର୍ଡ, ସ୍ୱଚ୍ଛ କାର୍ଯ୍ୟପ୍ରଣାଳୀ ଏବଂ ଏହାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ପାୱାର ପଏଂଟ ମାଧ୍ୟମରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ।
ଏହି ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ (ୱାର୍କ ଅର୍ଡର) ବଂଟନ କରାଯାଇଥିଲା । ଅତିରିକ୍ତ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ପରିଷଦ ସୂର୍ଯ୍ୟାଂଶୁ ଋତ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ପାଂୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଗଣ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟକ ହିତାଧିକାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ