
ଝାରସୁଗୁଡ଼ା, ୦୨ ଜୁଲାଇ (ହି.ସ.) - ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱର୍ଣ୍ଣକ୍ଷେତ୍ର ଦିବସ ଅବସରରେ ଝାରସୁଗୁଡ଼ା ଜ଼ିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ।
ଏହି ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ପ୍ରବନ୍ଧ ଲିଖନ, ବକ୍ତୃତା, କବିତା ଆବୃତି ଏବଂ ସାଧାରଣଜ୍ଞାନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କନିଷ୍ଠ ବର୍ଗରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ବରିଷ୍ଠ ବର୍ଗରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ପ୍ରତିଯୋଗୀମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଗଭୀର ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାଷା ସମୃଦ୍ଧ ହେଲେ, ସମାଜ ସମୃଦ୍ଧ ଏବଂ ସମାଜ ସମୃଦ୍ଧ ହେଲେ ରାଷ୍ଟ୍ର ଶକ୍ତିଶାଳୀ ହୁଏ, ତେଣୁ ସ୍ୱର୍ଣ୍ଣକ୍ଷେତ୍ର ଦିବସ ରେ ଓଡ଼ିଆ ଭାଷା ର ସୁରକ୍ଷା ଓ ବିକାଶ ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ମୃତ୍ୟୁଞ୍ଜୟ ଶବର ଯୋଗଦେଇ ଭାଷାର ଉନ୍ନତି ହେଲେ ସାହିତ୍ୟ, କଳା,ସଂସ୍କୃତି,ବିଜ୍ଞାନ, ଶିକ୍ଷା ର ମଧ୍ୟ ବିକାଶ ହୋଇଥାଏ । ଏଣୁ ଓଡ଼ିଆ ଭାଷାକୁ ପ୍ରତିଷ୍ଠିତ କରିବା ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ରଖିଥିଲେ।
ପ୍ରତିଯୋଗିତାରେ ବିଚାରକ ଭାବେ ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜୟ ଜେନା, ବ୍ରଜରାଜନଗର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀକର ଭୋଇ, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା ଡ଼. ଶିବପ୍ରିୟା ମିଶ୍ର, ଏଆଇପିଏସଏମର ପରାମର୍ଶଦାତା, ନିରଞ୍ଜନ ମାଳି, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, କବୟିତ୍ରୀ ଅଞ୍ଜଳିପ୍ରଭା ପଟ୍ଟନାୟକ ଏବଂ ସୁଡ଼ଙ୍ଗ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ପରେ ବିଚାରକମାନଙ୍କ ଦ୍ୱାରା ଚୟନ କରାଯାଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ବିତରଣ କରିବା ସହ ଅଭିନନ୍ଦନ ଜ୍ଞାପନ କରିଥିଲେ। ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୨ ଜୁଲାଇରେ ଏବଂ ବରିଷ୍ଠ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ୧୯ ଜୁଲାଇରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭୁବନେଶ୍ୱର ଯିବେ।
ପ୍ରବନ୍ଧ କନିଷ୍ଠ ବର୍ଗରେ ଡି ଏଭି ସ୍କୁଲ, ବନବାହାଲ ର ସନ୍ତୋଷିନୀ ସାହୁ ଏବଂ ବକ୍ତୃତା ରେ ପ୍ରତ୍ୟୁଷ୍ନା ବିଶ୍ୱାଳ, କବିତା ଆବୃତି ରେ ସେଂଟ ଫୋମାସ ସ୍କୁଲ ର ଆଦ୍ୱିତା ଦୀକ୍ଷିତ ଏବଂ ସାଧାରଣଜ୍ଞାନ ରେ ଅର୍ଣ୍ଣବ ପଣ୍ଡା ଓ ବରିଷ୍ଠ ବର୍ଗ ପ୍ରବନ୍ଧ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ଏସ କଟାପାଲି ର ଆଶୁତୋଷ ସ୍ୱାଇଁ, ବକ୍ତୃତା ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ପତ୍ରକ୍ଷପାଲି ର ତପସ୍ୱିନୀ ବେହେରା, କବିତା ଆବୃତିରେ କେ ଜି ବାଳିକା ବିଦ୍ୟାଳୟ, ସମାସିଙ୍ଗାର ପ୍ରିୟଙ୍କା ନାଗ ଏବଂ ସାଧାରଣ ଜ୍ଞାନରେ ଓ ପି ଏମ ବାଳିକା ବିଦ୍ୟାଳୟ, ବ୍ରଜରାଜନଗରର ସୁଦିପ୍ତି ନାହାକ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
କାର୍ଯ୍ୟକ୍ରମ ଆରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ଧୀରଜ ରୋଶନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁଡ଼ଙ୍ଗ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କନିଷ୍ଠ ସହାୟକ ଅକ୍ଷଲିଶ ପଟେଲ,କର୍ମଚାରୀ ରାଜେଶ ସେଠ, ସମୀର କିସାନ,ମୌସମ ପଟେଲ,ମନବୋଧ ବଗର୍ତୀ,ନିହାଲ ଭୋଇ, ରବୀନ୍ଦ୍ର ନିଆଲ ପ୍ରମୁଖ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ