
ଭୁବନେଶ୍ୱର, ୦୨ ଜୁଲାଇ (ହି.ସ)- ପିଜି ପ୍ରବେଶିକା ପରୀକ୍ଷା (କମନ୍ ପିଜି ଏଂଟ୍ରାନ୍ସ ଟେଷ୍ଟ-୨୦୨୬) ରେଜଲ୍ଟ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ନିଜର ପରୀକ୍ଷାଫଳ ଦେଖିପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତର ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ କମନ୍ ପିଜି ଏଂଟ୍ରାନ୍ସ ଟେଷ୍ଟ-୨୦୨୬ ଅନୁଷ୍ଠିତ ହୋଇଥିଲା। ଏହି ପ୍ରବେଶିକା ପରୀକ୍ଷା ପାଇଁ ୫୮,୬୧୩ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ୫୩,୯୦୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସର୍ବମୋଟ୍ ୫୦ଟି ସ୍ନାତକୋତର ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ୧୩୨ଟି ଉଚ୍ଚଶିକ୍ଷାନୁଷ୍ଠାନରେ ସ୍ନାତକୋତର ପାଠ୍ୟକ୍ରମ ପାଇଁ ୩୨,୩୦୯ଟି ସିଟ୍ ରହିଛି। ସ୍ନାତକୋତର ପାଠ୍ୟକ୍ରମରେ ନାମଲେଖା କମନ୍ ପିଜି ଏଂଟ୍ରାନ୍ସ ଟେଷ୍ଟ-୨୦୨୬ ଆଧାରରେ କରାଯିବ। ଆଡ଼ମିଶନର ସମୟସୂଚୀ ଖୁବଶୀଘ୍ର ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା