
ଭୁବନେଶ୍ୱର, ୦୨ ଜୁଲାଇ (ହି.ସ)- ବଳରାମ ଦାସଙ୍କ ସମାଧିପୀଠ ବେଗୁନିଆ ଠାରେ ନିର୍ମାଣ ହେବ ମହାଲକ୍ଷ୍ମୀ ପୁରାଣ କରିଡର। କରିଡରରେ ବଳରାମ ଦାସଙ୍କ ଗ୍ୟାଲେରୀ, ଲକ୍ଷ୍ମୀଙ୍କ ରିସର୍ଚ୍ଚ ଗ୍ୟାଲେରୀ ରହିବ। ୫୦୦ ମହିଳା ଏକାଠି ହୋଇ ଗାଇ ପାରିବେ ଲକ୍ଷ୍ମୀପୁରାଣ ସେହିଭଳି କରିଡର କରାଯିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଇପାରିବ। ଏହାସହ ରାଜ୍ୟ ସରକାର ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଂଟିବେ । ନମିତା ଅଗ୍ରୱାଲ ଓ ଗୀତା ଦାସ ଗାଇବେ ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏଡି ସୂଚନା ଦେଇଛନ୍ତି।
ଗୁରୁବାର ଦିନ ମିଶନ ଶକ୍ତି ଭବନସ୍ଥିତ ଅଡିଟୋରିଅମ ହଲ୍ ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ “ଶକ୍ତି ବନ୍ଦନାର ମହାଗାଥା - ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉପସ୍ଥିତ ବିଶିଷ୍ଟ ବିଦ୍ୱାନ, ଗବେଷକ ଓ ବକ୍ତାମାନେ ଲକ୍ଷ୍ମୀ ପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ୱ ସହିତ ଏଥିରେ ଥିବା ନାରୀ ସଶକ୍ତିକରଣ ଏବଂ ସାମାଜିକ ସମାନତାର ବାର୍ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ମହାଲକ୍ଷ୍ମୀ ପୁରାଣର ମୂଳ ବାର୍ତା କେବଳ ଧାର୍ମିକ ନୁହେଁ, ବରଂ ଏହା ଏକ ସାମାଜିକ ବିପ୍ଳବର ପ୍ରତୀକ। ପ୍ରକୃତ ସମୃଦ୍ଧି କେବଳ ଧନରେ ନୁହେଁ, ବରଂ ନ୍ୟାୟ, ସମାନତା, ପରିଶ୍ରମ, ସ୍ୱାଭିମାନ ଏବଂ ସମ୍ମାନ ଉପରେ ନିର୍ଭର କରେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଶକ୍ତି, ସଂସ୍କୃତି ଓ ପରମ୍ପରାର ଦର୍ଶନ ବିଶ୍ୱବାସୀଙ୍କୁ କରାଇବା ଲକ୍ଷ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବଳରାମ ଦାସଙ୍କ ସମାଧିପୀଠଠାରେ ‘ଲକ୍ଷ୍ମୀ ପୁରାଣ କରିଡର’ ନିର୍ମାଣ ପାଇଁ ରୂପରେଖା ପ୍ରସ୍ତୁତ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ଲକ୍ଷ୍ମୀ ପୁରାଣ କେବଳ ମାଆ ଲକ୍ଷ୍ମୀଙ୍କ ବନ୍ଦନା ନୁହେଁ, ବରଂ ମହିଳାମାନଙ୍କୁ ସମ୍ମାନ ଦେବାର ଏକ ପ୍ରକ୍ରିୟା ଓ ମାର୍ଗ ଅଟେ। ଏହାକୁ ସମଗ୍ର ବିଶ୍ୱରେ ପରିଚିତ କରାଇବା ଦିଗରେ ପର୍ଯ୍ୟଟନ ବିଭାଗର ଏହି ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ। ଏହି ଅବସରରେ ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗ୍ରାମରେ ପ୍ରସ୍ତାବିତ ଲକ୍ଷ୍ମୀ ପୁରାଣ କରିଡରର ପରିକଳ୍ପିତ ଚିତ୍ର ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା।
ଏହାପରେ ଆୟୋଜିତ ମୁଖ୍ୟ ଆଲୋଚନାଚକ୍ରରେ ନୂଆଦିଲ୍ଲୀସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍େସସର ମହିଳା ଅଧ୍ୟୟନ କାର୍ଯ୍ୟକ୍ରମର ମୁଖ୍ୟ ଡ. ବିଦ୍ୟୁତଲତା ମହାନ୍ତି, ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଅସିତ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟାପକ ଗୌରାଙ୍ଗ ଚରଣ ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତୀ ଗୀତା ଦାସ ଓ ଶ୍ରୀମତୀ ନମିତା ଅଗ୍ରୱାଲ ଯୋଗ ଦେଇଥିଲେ। ସେହିପରି ଅନନ୍ତ ଅବଧୂତ ମଠର ଆଦିତ୍ୟ ଚନ୍ଦ୍ର ଦାସ, ରମାଦେବୀ ବିଶ୍ୱବିଦ୍ୟାଳୟର ସୁଚେତା ପ୍ରିୟବାଦିନୀ ଓ ଅଲିଭା ମହାନ୍ତି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଜୟନ୍ତୀ ଦୋରା ପ୍ରମୁଖ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ ଏବଂ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପ-ମୁଖ୍ୟମନ୍ତ୍ରୀ ସମସ୍ତ ଅଂଶଗ୍ରହଣକାରୀ ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା