
କେନ୍ଦୁଝର, 02 ଜୁଲାଇ (ହି.ସ.)
ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ଦୁଇ ବର୍ଷର ସଫଳତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଆରମ୍ଭ ହେବାକୁ ଯାଉଥିବା ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ’ ଅଭିଯାନ ନେଇ କେନ୍ଦୁଝର ଜିଲ୍ଲାରେ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ହୋଇଥିବାରୁ ଏହି ବୃହତ୍ ଜନସମ୍ପର୍କ କାର୍ଯ୍ୟକ୍ରମକୁ କେନ୍ଦୁଝରରେ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ଅନେକ ବରିଷ୍ଠ ନେତୃତ୍ୱ ଓ ପ୍ରମୁଖ ସଂଗଠକମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ କିଭଳି ସରକାରଙ୍କ ସଫଳତା ଓ ପ୍ରତିଶ୍ରୁତି ପୂରଣର ବାର୍ତ୍ତା ଘରେ ଘରେ ପହଞ୍ଚିପାରିବ, ସେନେଇ ବୈଠକରେ ଏକ ସ୍ୱତନ୍ତ୍ର ଖସଡ଼ା (ବ୍ଲୁ-ପ୍ରିଣ୍ଟ) ପ୍ରସ୍ତୁତ କରାଯାଇଛି।
ସୂଚନାଯୋଗ୍ୟ ଯେ, ଏହି ବ୍ୟାପକ ସଚେତନତା ଓ ଜନସମ୍ପର୍କ ଅଭିଯାନକୁ ସଫଳ କରିବା ପାଇଁ ବିଜେପିର ବରିଷ୍ଠ ନେତା ତଥା କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କୁ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ’ର ରାଜ୍ୟ ସଂଯୋଜକ ଭାବେ ଗୁରୁ ଦାୟିତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ସୁଭଦ୍ରା ଯୋଜନା, ସିଏମ୍ କୃଷକ ଯୋଜନା, ଆୟୁଷ୍ମାନ ଭାରତ ଭଳି ଅନେକ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ କେନ୍ଦୁଝର ଜିଲ୍ଲାର ସର୍ବାଙ୍ଗୀନ ବିକାଶକୁ ଆଗେଇ ନେବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱତନ୍ତ୍ର ପ୍ରୟାସ କରାଯିବ ବୋଲି ବୈଠକରେ ନେତୃବୃନ୍ଦ ପ୍ରକାଶ କରିଛନ୍ତି। ଏହି ପ୍ରସ୍ତୁତି ବୈଠକ ରେ ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଏବଂ ଯଶସ୍ବୀନି ବଳ, ସମ୍ପାଦକ ଦୁଷ୍ମନ୍ତ ମହାନ୍ତ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ, ପୂର୍ବତନ ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ସିଂହ,ସାଧାରଣ ସମ୍ପାଦକ ରାଜେଶ କୁମାର ସିଂହ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରୁଦ୍ରପ୍ରସାଦ ବେହେରା,ଜିଲ୍ଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA