
ଭୁବନେଶ୍ୱର, ୦୨ ଜୁଲାଇ (ହି.ସ)- ଲୋକସେବା ଭବନଠାରେ ଗୁରୁବାର ୬୪ତମ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି (ଏସ୍ଏଲ୍ସିସିସିଆଇ) ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଖରିଫ-୨୦୨୬ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବୈଠକରେ କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ଖରିଫ-୨୦୨୬ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ପୂର୍ବପରି ଜାରି ରଖିବା, ରାଜ୍ୟରେ ପ୍ରଚଳିତ ୬୦:୧୩୦ କପ ଓ କ୍ୟାପ ମଡେଲ ମଡେଲ୍ ଏବଂ ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତୀ କ୍ଷତି ଉପରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା।
ପାଣିପାଗ ସୂଚନା ନେଟୱାର୍କ ଏବଂ ତଥ୍ୟ ପ୍ରଣାଳୀ ((ଡବ୍ଲୁଆଇ ଏନଡିଏସ) ପ୍ରକଳ୍ପ ଅଧୀନରେ ରାଜ୍ୟରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଓ ବର୍ଷା ପରିମାପକ ସ୍ଥାପନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଉପଯୁକ୍ତ ସ୍ଥାନ ଚିହ୍ନଟ ପାଇଁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲା।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅଧିକ ଦକ୍ଷ ଓ ସ୍ୱଚ୍ଛ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପ୍ରକଳ୍ପ ମନିଟରିଂ ୟୁନିଟ୍ (ଏସ୍ପିଏମ୍ୟୁ) ଗଠନ କରାଯାଇଛି। ଏହି ୟୁନିଟ୍?ରେ ଷ୍ଟେଟ୍ ପ୍ରୋଜେକ୍ଟ ଲିଡ୍, ଆଇଇସି ବିଶେଷଜ୍ଞ, ଜିଆଇଏସ୍ ଓ ସଫ୍ଟୱେର ବିଶେଷଜ୍ଞ, କ୍ଷମତା ବିକାଶ ବିଶେଷଜ୍ଞ ଏବଂ କ୍ରୟ ବିଶେଷଜ୍ଞଙ୍କ ସମେତ ଏକ ଦକ୍ଷ ଟିମ୍ କାର୍ଯ୍ୟ କରୁଛି। ଏହି ୟୁନିଟ୍ ଯୋଜନାର ପର୍ଯ୍ୟବେକ୍ଷଣ, ଡିଜିଟାଲ୍ ପ୍ଲାଟଫର୍ମ ପରିଚାଳନା, ସଚେତନତା କାର୍ଯ୍ୟକ୍ରମ, ତଥ୍ୟ ପରିଚାଳନା ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ଭଳି କାର୍ଯ୍ୟକୁ ସୁଦୃଢ଼ କରୁଛି। ବୈଠକରେ ରାଜ୍ୟ ପ୍ରକଳ୍ପ ମନିଟରିଂ ୟୁନିଟ୍?ର କାର୍ଯ୍ୟକୁ ଅବ୍ୟାହତ ରଖିବା ସହ କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶାଳୟ ଏବଂ ସମବାୟ ବିଭାଗକୁ ଆବଶ୍ୟକ ଆର୍ôଥକ ସହାୟତା ଜାରି ରଖିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଫସଲ ବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଏଗ୍ରିଷ୍ଟାକ ଓ କିଷାନ କ୍ରେଡିଟ୍ କାର୍ଡଧାରୀଙ୍କ ଶତପ୍ରତିଶତ ଅନ୍ତର୍ଭୁକ୍ତି, ଡିଜିଟାଲ୍ କ୍ରପ୍ ସର୍ଭେର ବ୍ୟବହାର, ଫସଲ କଟା ପରୀକ୍ଷଣ ତଥ୍ୟର ଶତପ୍ରତିଶତ ସଂଗ୍ରହ ଏବଂ ପ୍ରଯୁକ୍ତିଭିତିକ ମନିଟରିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-କମ୍-ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ସମବାୟ ସମିତି ନିବନ୍ଧକ ମନୀଷ ଅଗ୍ରୱାଲ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡଃ ବିଜୟ ଭୂଷଣ ନନ୍ଦ, ଓରସାକର ମୁଖ୍ୟ ନିର୍ବାହୀ ରଶ୍ମିତା ପଣ୍ଡାଙ୍କ ସମେତ ବିଭିନ୍ନ ସମ୍ପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା