
ଝାରସୁଗୁଡ଼ା 02 ଜୁଲାଇ (ହି.ସ.) - 'ନିଶାମୁକ୍ତ ଓଡ଼ିଶା' ଅଭିଯାନ ଅନ୍ତର୍ଗତ ମାଦକ ଦ୍ରବ୍ୟ ଚୋରାଚାଲାଣ ବିରୋଧୀ ଅଭିଯାନରେ ବ୍ରଜରାଜନଗର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱସ୍ତ ସୂଚନା ଆଧାରରେ ପୋଲିସ ୨୪ କେଜି ୬୭୦ ଗ୍ରାମ ବ୍ୟବସାୟିକ ପରିମାଣର ଗଞ୍ଜେଇ ଜବତ କରିବା ସହ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଆଇଆଇସି ବ୍ରଜରାଜନଗରଙ୍କ ନିର୍ଦ୍ଦେଶକ୍ରମେ ରାମପୁର ଆଉଟପୋଷ୍ଟ ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ପୋଲିସ ଟିମ୍ ସ୍ୱତନ୍ତ୍ର ଚଢ଼ାଉ କରି ଦୁଇଟି ସନ୍ଦେହଜନକ ସ୍କୁଟରକୁ ଅଟକାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏବଂ ଏନ୍ଡିପିଏସ୍ ଆଇନର ସମସ୍ତ ବୈଧ ପ୍ରକ୍ରିୟା ପାଳନ କରି ତଲାସି କରାଯିବା ପରେ ୨୪.୬୭୦ କେଜି ଗଞ୍ଜେଇ ଜବତ କରାଯାଇଥିଲା।
ଏହି ଘଟଣାରେ ଦୀପକ ମହାନନ୍ଦ (୩୨), ଆକାଶ ସାହା (୨୮) ଏବଂ ପୁଷ୍ପକ ମହାନନ୍ଦ (୩୮)ଙ୍କୁ ପୋଲିସ ଗିରଫ କରିଛି। ଅଭିଯାନ ସମୟରେ ଦୁଇଟି ସ୍କୁଟର, ୪ଟି ମୋବାଇଲ ଫୋନ୍ ଏବଂ ୩,୧୦୦ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଆକାଶ ସାହାଙ୍କ ନାମରେ ପୂର୍ବରୁ ବ୍ରଜରାଜନଗର ଓ ଝାରସୁଗୁଡ଼ା ଥାନାରେ ଅପହରଣ, ହତ୍ୟାଚେଷ୍ଟା, ଚୋରି, ଡକାୟତି ସମେତ ଅନ୍ୟାନ୍ୟ ସଙ୍ଗୀନ ଅପରାଧ ସମ୍ବନ୍ଧୀୟ ୪ଟି ମାମଲା ରହିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଅପରାଧିକ ପୃଷ୍ଠଭୂମି ଯାଞ୍ଚ ଜାରି ରହିଛି। ସମ୍ପୂର୍ଣ୍ଣ ତଲାସି ଓ ଜବତ ପ୍ରକ୍ରିୟା ଅତିରିକ୍ତ ତହସିଲଦାର-କମ୍-କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଶ୍ରଦ୍ଧାଞ୍ଜଳି ପତି, ସ୍ୱାଧୀନ ସାକ୍ଷୀ ଏବଂ ପ୍ରମାଣିତ ଓଜନକାରୀଙ୍କ ଉପସ୍ଥିତିରେ ଏନ୍ଡିପିଏସ୍ ଆଇନର ସମସ୍ତ ବୈଧ ବ୍ୟବସ୍ଥା ପାଳନ କରି ସମ୍ପନ୍ନ କରାଯାଇଥିଲା। ଜବତ ଗଞ୍ଜେଇ ବ୍ୟବସାୟିକ ପରିମାଣର ହୋଇଥିବାରୁ ବ୍ରଜରାଜନଗର ଥାନାରେ ମାମଲା ନଂ–୧୪୯, ତାରିଖ ୦୨.୦୭.୨୦୨୬ରେ ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ii)(C)/୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି।
ପୋଲିସ ବର୍ତ୍ତମାନ ଜବତ ଗଞ୍ଜେଇର ଉତ୍ସ, ଗନ୍ତବ୍ୟସ୍ଥଳ ଏବଂ ଏହି ଚୋରାଚାଲାଣ ଚକ୍ର ସହ ଜଡ଼ିତ ଅନ୍ୟ ସଦସ୍ୟଙ୍କ ସନ୍ଧାନରେ ତଦନ୍ତ ଜାରି ରଖିଛି। ଝାରସୁଗୁଡ଼ା ପୋଲିସ ମାଦକ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହିବା ସହ ସାଧାରଣ ଲୋକଙ୍କୁ ଏଭଳି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ବିଶ୍ୱସନୀୟ ସୂଚନା ଯୋଗାଇବାକୁ ଆହ୍ୱାନ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ