
ପୁରୀ, ୨୦ ଜୁଲାଇ (ହି.ସ.)- ନବଦିନାତ୍ମକ ରଥଯାତ୍ରାର ପଚଂମ ଦିବସରେ ସୋମବାର ମଧ୍ୟ ଯଜ୍ଞବେଦିରେ ଭକ୍ତଙ୍କୁ ଆଡ଼ପ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତି । ମହାବାହୁଙ୍କ ଆଡ଼ପ ଦର୍ଶନ ସାଙ୍ଗକୁ ଆଡ଼ପ ଅବଢ଼ା ପାଇ ତୃପ୍ତ ହେଉଛନ୍ତି ଶ୍ରଦ୍ଧାଳୁ । ଆଜି ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଛି ।
ଭକ୍ତ ମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ୍ ଭିତରେ ଧାଡିରେ ଯାଇ ସିଂହଦ୍ୱାରରେ ପ୍ରବେଶ ପୂର୍ବକ ଶ୍ରୀଜୀଉଙ୍କୁ ଜନ୍ମବେଦିରେ ଦର୍ଶନ କରି ମନ୍ଦିର ପରିକ୍ରମା ଓ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦବଜାରରେ ଆଡ଼ପ ଅଭଡ଼ା ସେବନ କରି ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଏହି ମହାପ୍ରସାଦ ମଧ୍ୟରେ ରହିଛି ଘିଅଅନ୍ନ, ସାଧାଅନ୍ନ, କାନିକା, ଖେଚେଡି, ମିଠାଅନ୍ନ, ଡାଲି, ମିଠାଡାଲି, ଡାଲମା, ବେସର, ମହୁର, ଖଟା, ଶାଗ ଆଦି ବ୍ୟଞ୍ଜନ । ଶ୍ରଦ୍ଧାଳୁ ମାନେ କିପରି ସୁରକ୍ଷିତ ଓ ସୁବିଧାରେ ଦର୍ଶନ କରିବେ ସେଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଶରଧାବାଲିରେ ତିନି ରଥକୁ ପୋଲିସ କର୍ଡ଼ନରେ ରଖାଯାଇଛି ।
ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ କରି ଆଡ଼ପ ଦର୍ଶନ ଓ ଆଡ଼ପ ଅବଢ଼ା ସେବନ, ବ୍ରାହ୍ମଣଙ୍କୁ ଭୋଜନ ଓ ଦକ୍ଷିଣା ଦେଲେ ଅଧିକ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ