
Bhubaneswar, 20 ଜୁଲାଇ (ହି.ସ.)
ଜୁଲାଇ ୧୬ ତାରିଖ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଥିଲେ । ୩୫୦ରୁ ଅଧିକ ଭକ୍ତ ଆହତ ହୋଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ହେଲେ ଏହି ବାସ୍ତବ ସତ୍ୟକୁ ସରକାର ସ୍ୱୀକାର କରିବା ବଦଳରେ ପ୍ରଶାସନିକ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମିଛ ବିବୃତି ଦିଆ କରାଉଛନ୍ତି । ଏହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି ବୋଲି ବିଜେଡି କହିଛି ।
ଘୋଷଯାତ୍ରା ଦିନ ବଡଦାଣ୍ଡ ମରିଚିକୋଟ ଛକଠାରେ ହୋଇଥିବା ଦଳାଚକଟାରେ ୪ ଜଣ ଗୁରୁତର ଅବସ୍ଥାରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଏବଂ ସେଠାରେ ୩ ଜଣଙ୍କୁ ସିଡିଏମଓ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଦଳାଚକଟା ଯୋଗୁଁ ୩ ଜଣ ଭକ୍ତ ପ୍ରାଣ ହରାଇଥିଲେ ।
ଦଳାଚକଟାରେ ମୃତ୍ୟୁ ହୋଇଥିବା ନେଇ ଶବ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ‘ଅସୁସ୍ଥତା’ ପାଇଁ ଭକ୍ତଙ୍କ ମୃତ୍ୟୁ ହୋଇଥିବା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।ଆଶ୍ଚର୍ଯ୍ୟର ବିଷୟ ହେଉଛି, ସବୁ କାଳିଆର ଇଛା କହି ପ୍ରଶାସନିକ ଅବ୍ୟବସ୍ଥାକୁ ଘୋଡେଇବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ହେଉଛି, ଯାହା ନିନ୍ଦନୀୟ । ଘୋଷଯାତ୍ରା ଅବସରରେ ହୋଇଥିବା ଦଳାଚକଟାର ବିଚାର ବିଭାଗୀୟ ତଦନ୍ତ ଆମର ଦାବି ।
ଆଗକୁ ବାହୁଡା ଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଓ ଦେବନୀତି କିପରି ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ସରକାର ସେନେଇ ଯତ୍ନବାନ ହୁଅନ୍ତୁ ବୋଲି ଦଳ କହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା