

ବଲାଙ୍ଗିର, 24 ଜୁଲାଇ (ହି.ସ.)
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଆଜି ସମଗ୍ର ବଲାଙ୍ଗୀର ସହର ଏକ ଅପୂର୍ବ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ କମ୍ପିଉଠିଥିଲା। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନୁପମ ମିଳନର ଏହି ପର୍ବକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ଓ ଭକ୍ତିପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଏହି ପବିତ୍ର ଅବସରରେ ସ୍ଥାନୀୟ ଆଶିଷ ପ୍ଲାଜାଠାରେ ଏକ ସ୍ୱତନ୍ତ୍ର ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହି କେନ୍ଦ୍ର ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ମହାନ ନୀତିକାନ୍ତି ସମ୍ପର୍କରେ ଅବଗତ କରାଯିବା ସହ ବିଭିନ୍ନ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇଥିଲା।
ଚତୁର୍ଧାମୂର୍ତ୍ତିଙ୍କର ଦିବ୍ୟ ପହଣ୍ଡି ବିଜେ, ହରିବୋଲ ଓ ହୁଳହୁଳିର ପ୍ରକମ୍ପନ ଭିତରେ ଶ୍ରୀଜୀଉମାନଙ୍କର ଅଭୁଲା 'ଛେରା ପହଁରା' ଏବଂ ଭକ୍ତମାନଙ୍କ ଦ୍ୱାରା ରଥଟଣାର ସୁନ୍ଦର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣ କରାଯାଇଥିଲା। ସୁଦକ୍ଷ ଭାଷ୍ୟକାରମାନଙ୍କ ଓଜସ୍ୱିନୀ ଓ ଭକ୍ତିରସ ପରିପୂର୍ଣ୍ଣ ବାଣୀ ସମଗ୍ର ବଡ଼ଦାଣ୍ଡକୁ ଏକାକାର କରି ଦେଇଥିଲା।
ଏହି ଦିବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସଫଳ କରିବାରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସୁଦକ୍ଷ ଭାଷ୍ୟକାର ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀ ଜଗଦାନନ୍ଦ ଛୁରିଆ, ଶ୍ରୀ ସନାତନ ଠାକୁର, ଶ୍ରୀ ବିଜୟ ତ୍ରିପାଠୀ, ଶ୍ରୀ ମଧୁସୂଦନ ନାଏକ, ଶ୍ରୀ ସନ୍ଦିପ କୁଅଁର, ଶ୍ରୀମତୀ ଏଲୋରା ମିଶ୍ର, ଶ୍ରୀମତୀ କଲ୍ଲଳିନୀ ମିଶ୍ର ଏବଂ ଶ୍ରୀ ଲଳିତ ରଞ୍ଜନ ମହାପାତ୍ର ପ୍ରମୁଖ ନିଜର ମଧୁର କଣ୍ଠରେ ଜୀବନ୍ତ ଧାରାବିବରଣୀ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ପରିଚାଳନା କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ, ବୀରେନ୍ଦ୍ର ଝାଙ୍କର, ଗୋବିନ୍ଦ ଚନ୍ଦ୍ର ମିଶ୍ର, ତପନ କୁମାର ପଟେଲ, ସମୀର କୁମାର ସାହୁ, ଦେବେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ