ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା : ସିଂହଦ୍ଵାରରେ ଲାଗିଲା ତିନି ରଥ, ଆସନ୍ତାକାଲି ସୁନାବେଶ
ପୁରୀ, ୨୪ ଜୁଲାଇ (ହି.ସ.)- ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ବାହୁଡ଼ା ଯାତ୍ରା ପାଇଁ ଚଳଚଂଚଳ ହୋଇଉଠିଛି ବଡ଼ଦାଣ୍ଡ । ରଥାରୁଢ଼ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ଓ ରଥ ଟାଣିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭ
ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା-୨


ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା


ପୁରୀ, ୨୪ ଜୁଲାଇ (ହି.ସ.)- ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ବାହୁଡ଼ା ଯାତ୍ରା ପାଇଁ ଚଳଚଂଚଳ ହୋଇଉଠିଛି ବଡ଼ଦାଣ୍ଡ । ରଥାରୁଢ଼ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ଓ ରଥ ଟାଣିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଛି ଗଗନ ପବନ । ଘଂଟା ଘଂଟା, ଶଙ୍ଖ, ବିଜେ କାହାଳୀର ଧ୍ୱନୀ ପରିବେଶକୁ ଭକ୍ତିମୟ କରିଛି । ଜନ୍ମବେଦିରୁ ରତ୍ନବେଦିକୁ ବାହୁଡିଛନ୍ତି ମହାବାହୁ । ଅପରାହ୍ନ ୪ଟା ପରିବର୍ତେ ୩୦ ମିନିଟ୍ ବିଳମ୍ବ ଅର୍ଥାତ୍ ଅପରାହ୍ନ ୪ଟା ୩୦ରେ ରଥଟଣା ଆରମ୍ଭ ହୋଇଥିଲା ।

ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଶୁକ୍ରବାର ସକାଳେ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ଗୋପାଳବଲ୍ଲଭ ଓ ସକାଳ ଧୂପ ଶେଷ ହୋଇଥିଲା । ମହାପ୍ରଭୁଙ୍କୁ ଖେଚୁଡ଼ି ଭୋଗ ଲାଗି ହୋଇଥିଲା । ଏହାପରେ ସେନାପଟା ଲାଗି, ମଙ୍ଗଳାର୍ପଣ ଆଦି ନୀତି ସମ୍ପନ୍ନ ପରେ ଶ୍ରୀଜୀଉଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ଦେଇ ତିନି ରଥ ପରିକ୍ରମା କରିବା ପରେ ପୂର୍ବାହ୍ନ ୧୧ଟା ୧୫ ମିନିଟ୍ ରେ ଦର୍ପଦଳନ ରଥରେ ବିଜେ କରିଥିଲେ । ବଡ ଠାକୁର ଶ୍ରୀବଳଭଦ୍ର ୧୨ଟାରେ ୫ରେ ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ । ପରେ ଦେବୀ ସୁଭଦ୍ରା ଧାଡି ପହଣ୍ଡିରେ ଆସି ୧୨ଟା ୧୮ ମିନିଟ୍ ରେ ଦର୍ପଦଳନ ରଥରେ ବିରାଜମାନ କରିଥିଲେ । ଶେଷରେ ଟାହିଆ ହଲାଇ କାହାଳୀ, ଘଂଟ ଘଂଟାର ତାଳେ ତାଳେ ଝୁଲି ଝୁଲି ଆସି ଅପରାହ୍ନ ୨ଟା ୨୦ରେ ନନ୍ଦିଘୋଷ ରଥାରୁଢ଼ ହୋଇଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ । ଶ୍ରୀବିଗ୍ରହମାନେ ରଥାରୁଢ଼ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ରଥ ଉପରେ ଚାଲୁ ରହିଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ଚାରମାଳ ଖୋଲାଯାଇ ରଥରେ ଦଉଡ଼ି ବନ୍ଧାଯାଇଥିଲା । କାଷ୍ଠନିର୍ମିତ ଅଶ୍ୱ ଯୋଚାଯାଇଥିଲା । ଅପରାହ୍ନ ୪ଟା ପରିବର୍ତେ ୩୦ ମିନିଟ୍ ବିଳମ୍ବ ଅର୍ଥାତ୍ ଅପରାହ୍ନ ୪ଟା ୩୦ରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶ୍ରଦ୍ଧାଳୁମାନେ ଟାଣିଥିଲେ । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅପରାହ୍ନ ୫ଟା ୫ରେ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଅପରାହ୍ନ ୫ଟା ୩୫ରେ ଆରମ୍ଭ ହୋଇଥିଲା । ପାଞ୍ଜି ଅନୁସାରେ ୬ଟା ୨୬ରେ ସନ୍ଧ୍ୟା ହେଉଥିବା ବେଳେ ଲାଇଟ୍ ଲଗାଯାଇ ରାତି ୧୦ଟା ପର୍ଯ୍ୟନ୍ତ ରଥଟଣା ହୋଇଥିଲା । ତାଳଧ୍ୱଜ ଓ ଦର୍ପଦଳନ ରଥ ରାତି ୯ଟା ସୁଦ୍ଧା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲାଗିଛି । ଶେଷ ଖବର ସୁଦ୍ଧା ନନ୍ଦିଘୋଷ ରଥ ରଜାନଅର ସମ୍ମୁଖରେ ଅଟକିଛି । ୧୦ଟା ରେ ଲକ୍ଷ୍ମୀନାରାୟଣ ଭେଟ ଅନୁଷ୍ଠିତ ହୋଇଛି । ଲକ୍ଷ୍ମୀନାରାୟଣ ଭେଟ ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ନନ୍ଦିଘୋଷ ରଥ ଲାଗିବ ବୋଲି ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।

ଆସନ୍ତାକାଲି ସକାଳୁ ରଥ ଉପରେ ଶ୍ରୀବିଗ୍ରହ ମାନଙ୍କ ଦୈନନ୍ଦିନ ନୀତିକାନ୍ତି ସମାପନ ହେବ । ସନ୍ଧ୍ୟାରେ ରଥାରୁଢ଼ ଶ୍ରୀବିଗ୍ରହ ମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ପୋଲିସ ପ୍ରଶାସନ ପକ୍ଷରୁ ରଥ ଚାରିପାଖ, ବଡ଼ଦାଣ୍ଡ, ରେଳଷ୍ଟେସନ, ସମୁଦ୍ରକୂଳ ସମେତ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande