

ରାଇରଙ୍ଗପୁର, ୨୫ ଜୁଲାଇ (ହି.ସ.)- ରାଇରଙ୍ଗପୁର ଠାରେ ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ାଯାତ୍ରା ଆଜି ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ଲାଭ କରିବା ସହ ରଥ ଟାଣିବାର ସୌଭାଗ୍ୟ ଅର୍ଜନ କରିଥିଲେ।
ବାହୁଡ଼ାଯାତ୍ରା ଅବସରରେ ରାଇରଙ୍ଗପୁର ସହର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା। ଗତକାଲି ବାହୁଡା଼ ଯାତ୍ରାର ପ୍ରଥମ ଦିବସର ପୂର୍ବାହ୍ନରେ ଶ୍ରୀଜୀଉମାନଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ କରାଯାଇ ରଥାରୁଢ଼ କରାଯାଇଥିଲା। ଅପରାହ୍ନରେ ଭକ୍ତ ଓ ଶ୍ରଦ୍ଧାଳୁ ମହାଆନନ୍ଦରେ ରଥକୁ ବଡଦାଣ୍ଡରେ ଟାଣି ଟାଣି ସାହୁ ଲଜ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଆଜି ବାହୁଡ଼ାଯାତ୍ରା ଦ୍ଵିତୀୟ ଦିବସରେ ସକାଳ ବେଳା ଭକ୍ତ ଓ ଶ୍ରଦ୍ଧାଳୁ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ ପୂଜାର୍ଚନା କରିଥିଲେ। ଅପରାହ୍ନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମହିଳାମାନେ ଉତ୍ସାହର ସହ ରଥକୁ ଟାଣି ନେଇ ରଥ ଖଳା ନିକଟରେ ପହଞ୍ଚାଇଥିଲେ ଏବଂ ଏହିପରି ଭାବେ ବାହୁଡା଼ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଛି। ରଥଯାତ୍ରାର ପରିଚାଳନା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଅଗ୍ନିଶମ ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମ ସମୟରେ ରଥଯାତ୍ରା ପରିଚାଳନା କମିଟି, ମନ୍ଦିର ପରିଚାଳନା କମିଟି, ପୋଲିସ, ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଫଳରେ ରଥଯାତ୍ରା ଓ ବାହୁଡ଼ାଯାତ୍ରା ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ ହୋଇପାରିଛି। ପହଣ୍ଡି ଓ ରଥଟଣା ଦିନମାନଙ୍କରେ ରଥ ଦାଣ୍ଡରେ ବିଭିନ୍ନ ସ୍ଥାନରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଉପରେ ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନର ବ୍ୟବସ୍ଥା କରାଯାଇଥିଲା।
ଆଜି ସନ୍ଧ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ରଥ ଉପରେ ଶ୍ରୀଜୀଉ ମାନଙ୍କ ଦିବ୍ୟ ସୁନାବେଶ ଦର୍ଶନ କରିଛନ୍ତି । ଅନ୍ୟାନ୍ୟ ନୀତିକାନ୍ତି ମଧ୍ୟରେ ଆସନ୍ତାକାଲି ଲକ୍ଷ୍ମୀନାରାୟଣ କଳି ଯାତ୍ରାଙ୍ଗୀ ଅଧରପଣା ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ପୂର୍ବାହ୍ନ ୯ଟା ୩୦ ମିନିଟ ସମୟରେ ଧାଡି ପହଣ୍ଡିରେ ନୀଳାଦ୍ରିବିଜେ ନୀତି ହୋଇ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିବେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ