ପ୍ରମାଣିକୃତ ଧାନ ବିହନ ପ୍ରତିଚାଷୀ ବିମୁଖ : ଶଙ୍କରୀକରଣ ବିହନ ପାଇଁ ଗୁରୁତ୍ୱ ଦେଉଛନ୍ତି ଚାଷୀ ବିକ୍ରି ହେଉନି ଧାନ ବିହନ, କ୍ଷତି ସହୁଛି ସେବା ସମିତି
ନିଶ୍ଚିନ୍ତକୋଇଲି ୦୪ ଜୁଲାଇ (ହି.ସ.) : ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଚଳିତ ବର୍ଷ ଖରିଫ ଧାନଚାଷ ପାଇଁ ୧୦ ହଜାର ୯୬୪ ହେକ୍ଟର ଚାଷ ଜମିରେ ଧାନଚାଷ କରାଯିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଥିପାଇଁ ୪୪୦୦ କୁଇଣ୍ଟାଲ ଧାନ ବିହନର ଆବଶ୍ୟକତା ରହିଥିବା ବେଳେ ଏହି ବ୍ଲକ ଅଧ
ପ୍ରମାଣିକୃତ ଧାନ ବିହନ ପ୍ରତିଚାଷୀ ବିମୁଖ : ଶଙ୍କରୀକରଣ ବିହନ ପାଇଁ ଗୁରୁତ୍ୱ ଦେଉଛନ୍ତି ଚାଷୀ ବିକ୍ରି ହେଉନି ଧାନ ବିହନ, କ୍ଷତି ସହୁଛି ସେବା ସମିତି


ନିଶ୍ଚିନ୍ତକୋଇଲି ୦୪ ଜୁଲାଇ (ହି.ସ.) : ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଚଳିତ ବର୍ଷ ଖରିଫ ଧାନଚାଷ ପାଇଁ ୧୦ ହଜାର ୯୬୪ ହେକ୍ଟର ଚାଷ ଜମିରେ ଧାନଚାଷ କରାଯିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଥିପାଇଁ ୪୪୦୦ କୁଇଣ୍ଟାଲ ଧାନ ବିହନର ଆବଶ୍ୟକତା ରହିଥିବା ବେଳେ ଏହି ବ୍ଲକ ଅଧିନରେ ଥିବା ବିଭିନ୍ନ କୃଷିଋଣ ସମବାୟ ସମିତି ମାଧ୍ୟମରେ ମାତ୍ର ୫୦୦ କୁଇଣ୍ଟାଲ ଧାନ ବିହନ ବିକ୍ରୟ କରାଯାଇଥିବା ଜଣାଯାଇଛି । ଚଳିତ ବର୍ଷ ଏହି ବ୍ଲକରେ ଚାଷୀମାନେ ବହୁ କମ୍ ପରିମାଣରେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପ୍ରମାଣିକୃତ(ସାର୍ଟିଫାଏଡ୍) ଧାନ ବିହନ କିଣିଥିବା ଜଣାଯାଇଛି । ଏହି ଧାନ ବିହନ ଅଧିକ ଅମଳକ୍ଷମ ହୋଇନଥିବା ଏବଂ କେତେକ ବିହନରେ ଧାନତଳି ଠିକ୍ ଭାବେ ଉଠୁନଥିବା ବେଳେ କେଣ୍ଡା ବାହାରିବା ବେଳେ ସମସ୍ୟା ଉପୁଜୁଥିବା ନେଇ ଚାଷୀମାନେ ଏହି ଧାନ ବିହନ ପ୍ରତି ବିମୁଖ ହୋଇଥିବା ଦେଖିବାକୁ ମିଳୁଛି । ଏହାଛଡା ବେସରକାରୀ ଭାବେ ବିକ୍ରି କରାଯାଉଥିବା ଶଙ୍କରୀକରଣ ଧାନ ବିହନ ପାଇଁ ଚାଷୀମାନେ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନ ବେସରକାରୀ ବ୍ୟବସାୟୀମାନଙ୍କଠାରୁ ଏହି ଧାନ ବିହନ ବହୁଳମାତ୍ରାରେ କିଣୁଥିବା ଦେଖିବାକୁ ମିଳୁଛି । ଏଭଳିସ୍ଥିତିରେ ଏହି ବ୍ଲକ ଅଧିନରେ ଥିବା ବହୁ ସମବାୟ ସମିତି ଧାନ ବିହନ ବିକ୍ରି କରିବା ପାଇଁ ରାଜ୍ୟ ସରକାରଙ୍କ ବିହନ ନିଗମରୁ ବିହନ ଆଣିଥିଲେ ମଧ୍ୟ ଅଦ୍ୟାବଧି ସମସ୍ତ ବିହନ ବିକ୍ରି ନହୋଇ ବହୁ ବିହନ ବଳକା ରହିଥିବା ଜଣାଯାଇଛି । ଏହି ବଳକା ବିହନଗୁଡିକ ବିକ୍ରି ନହେବାରୁ ସମବାୟ ସମିତିଗୁଡିକ କ୍ଷତି ସହୁଥିବା ନେଇ ପ୍ରକାଶ କରିଛନ୍ତି । ଏହି ବ୍ଲକ ଅଧିନରେ ଥିବା ୧୫ ଗୋଟି ସମବାୟ ସମିତିଗୁଡିକ ମଧ୍ୟରୁ ସୁକରପଡା ସେବାସମବାୟ ସମିତି ୪୦ କୁଇଣ୍ଟାଲ ବିହନ ବିକ୍ରି ପାଇଁ ଆଣିଥିଲା ବେଳେ ତାହାର ୮ କୁଇଣ୍ଟାଲ ବିକ୍ରି ନହୋଇ ବଳକା ରହିଛି । ସେହିପରି ପଲ୍ଲିଶ୍ରୀ ସେବା ସମବାୟ ସମିତି ୧୫ କୁଇଣ୍ଟାଲ ବିହନ ବିକ୍ରି ପାଇଁ ଆଣିଥିଲା ବେଳେ ତାହାର ୧୦ କୁଇଣ୍ଟାଲ ବିହନ ବିକ୍ରି ହୋଇ ନାହିଁ । କେନ୍ଦୁପାଟଣା ସମିତି ୨୦ କୁଇଣ୍ଟାଲ ବିହନ ବିକ୍ରି ପାଇଁ ଆଣିଥିବା ବେଳେ ତାହାର ୬ କୁଇଣ୍ଟାଲ ବିହନ ବଳକା ରହିଛି । ସେହିପରି ବନ୍ଧକାଠିଆ ସମବାୟ ସମିତି ୩୦କୁଇଣ୍ଟାଲ ବିକ୍ରି ପାଇଁ ଆଣିଥିଲା ବେଳେ ତାହାର ୧ କୁଇଣ୍ଟାଲ ବିହନ ବିକ୍ରି ହୋଇ ନାହିଁ । ସେହିପରି ଜିଗ୍ନିପୁର ବଳଦେବଜୀଉ ସେବା ସମବାୟ ସମିତି ୧୫ କୁଇଣ୍ଟାଲ ବିହନ ବିକ୍ରି ପାଇଁ ଆଣିଥିଲା ବେଳେ ତାହାର ୧କୁଇଣ୍ଟାଲ ବଳକା ରହିଥିବା ବେଳେ ଓରତି ସେବାସମବାୟ ସମିତି ଓ ନଗସପୁର ସମବାୟ ସମିତି ୧୦ କୁଇଣ୍ଟାଲ ବିକ୍ରି କରିଥିବା ଜଣାଯାଇଛି । ସେହିପରି ଅନ୍ୟ ୯ ଟି ସେବା ସମବାୟ ସମିତିରେ ବହୁ ବିହନ ବିକ୍ରି ନହୋଇ ବଳିପଡିଥିବା ଜଣାଯାଇଛି । ଚଳିତ ବର୍ଷ ଏହି ଧାନ ବିହନ ୨୦ କେଜି ପ୍ୟାକେଟ ବିହନକୁ ୮୨୫ ଟଙ୍କା ଲେଖାଏ ବିକ୍ରି କରାଯାଉଥିବା ବେଳେ ସରକାରୀ ନିୟମ ଅନୁଯାୟୀ ଚାଷୀଙ୍କ ଜମା ଖାତାକୁ ୧୫୬ ଟଙ୍କା ସବ୍ସିଡି ଦିଆଯାଉଛି । ହେଲେ ଚାଷୀମାନେ ଏହି ବିହନକୁ ନକିଣି ବେସରକାରୀ ଭାବେ ବିକ୍ରି କରାଯାଉଥିବା ଫାଉଣ୍ଡେସନ ବିହନକ କିଗ୍ରା ପ୍ରତି ୮୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କିସମର ଧାନ ବିହନ କିଣୁଥିବା ଦେଖାଯାଇଛି । ବେସରକାରୀ ଭାବେ ଯେଉଁ ବିହନ ବିକ୍ରି କରାଯାଉଛି ତାହାର ୫ କେଜିଆ ପ୍ୟାକେଟ୍ ରହିଥିବା ବେଳେ ସରକାରୀ ଭାବେ ବିକ୍ରି କରୁଥିବା ବିହନ ୨୦ କେଜିରୁ କମ୍ ପ୍ୟାକେଟ୍ ନଥିବାରୁ କମ୍ ବିହନ ଦରକାର ହେଉଥିବା ଚାଷୀମାନେ ମଧ୍ୟ ଏହି ଧାନ ବିହନକୁ କିଣିପାରୁନାହାନ୍ତି । ଯଦି ସେବାସମବାୟ ସମିତିଗୁଡିକୁ ସରକାରଙ୍କ ପକ୍ଷରୁ ୫ କେଜିଆ ଧାନ ପ୍ୟାକେଟ୍ ସହିତ ବିଭିନ୍ନ କିସମର ଶଙ୍କରୀକରଣ ଫାଉଣ୍ଡେସନ ବିହନ ଯୋଗାଇ ଦିଆଯାଆନ୍ତା ତାହା ହେଲେ ଚାଷୀମାନେ ସୁବିଧାରେ ଓ ରିହାତି ଦାମ୍ରେ ଧାନ ବିହନ କିଣି ପାରନ୍ତେ ବୋଲି ପ୍ରକାଶ କରିଛନ୍ତି । ଆଗାମୀ ବର୍ଷ ପାଇଁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଚାଷୀମାନଙ୍କୁ କିଭଳି ସହଜରେ ଫାଉଣ୍ଡେସନ ବିହନ ଯୋଗାଇ ଦେବ ସେଥିପ୍ରତି ଯତ୍ନବାନ ହେବାକୁ ଚାଷୀମହଲରେ ଦାବି ହୋଇଛି ।

ରତ୍ନାକର ବାରିକ, ହିନ୍ଦୁସ୍ତାନ ସମାଚାର

04 ଜୁଲାଇ (ହି.ସ.)

---------------

ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍


 rajesh pande