ଆଳିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
କେନ୍ଦ୍ରାପଡ଼ା, ୦୬ ଜୁଲାଇ(ହି.ସ.) – ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଲୋକଙ୍କ ଦ୍ୱାରରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ଆଳି ବ୍ଲକ କାର୍ୟ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କାଟାରିଆଙ୍କ ଉପ
-----ଆଳିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର..


କେନ୍ଦ୍ରାପଡ଼ା, ୦୬ ଜୁଲାଇ(ହି.ସ.) – ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଲୋକଙ୍କ ଦ୍ୱାରରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ଆଳି ବ୍ଲକ କାର୍ୟ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କାଟାରିଆଙ୍କ ଉପସ୍ଥିତିରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଯୋଗକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଉପସ୍ଥାପନ କରିଥିଲେ। ମୋଟ ୬୯ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ୪୬ଟି ବ୍ୟକ୍ତିଗତ ଏବଂ ୨୩ଟି ସାମୂହିକ ଅଭିଯୋଗ ଥିଲା। ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ବିଦ୍ୟୁତ ସେବା, ଜଳସେଚନ, ବ୍ୟାଙ୍କିଙ୍ଗ ସେବା, ରାସ୍ତାଘାଟ, ରାଜସ୍ୱ ଏବଂ ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନା ସମ୍ପର୍କିତ ଅଭିଯୋଗ ପ୍ରମୁଖ ରହିଥିଲା।ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୭ଟି ମାମଲାର ସ୍ଥଳରେ ତୁରନ୍ତ ସମାଧାନ କରାଯାଇଥିଲା। ସେହିପରି ୩ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ଉଗଜୠ) ରୁ ମୋଟ ₹୧୫,୦୦୦ ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର ଓ ପ୍ରଭାବଶାଳୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ତୁରନ୍ତ ପ୍ରେରଣ କରାଯାଇଛି।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆୟର ଅଭିଯୋଗଗୁଡ଼ିକର ଗୁରୁତ୍ୱକୁ ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ନାୟକ, ଆଳି ବିଡିଓ ଶ୍ରୀ ଅଭିନାଶ ସେଠୀ, ତହସିଲଦାର ସୁମନ ଘୋଷ, ଡେପୁଟି କଲେକ୍ଟର ସରୋଜ କୁମାର ବେହେରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।ସୂଚନାଯୋଗ୍ୟ ଯେ, ଜୁଲାଇ ମାସର ପରବର୍ତ୍ତୀ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ୧୩ ଜୁଲାଇରେ ମାର୍ଶାଘାଇ ବ୍ଲକ, ୨୦ ଜୁଲାଇରେ ମହାକାଳପଡ଼ା ବ୍ଲକ ଏବଂ ୨୭ ଜୁଲାଇରେ ଡେରାବିଶ ବ୍ଲକ କାର୍ୟ୍ୟାଳୟରେ ଅନୁଷ୍ଠିତ ହେବ।ଏହି ଶିବିରଗୁଡ଼ିକରେ ଜନସାଧାରଣ ଉପସ୍ଥିତ ରହି ସେମାନଙ୍କ ଅଭିଯୋଗ ଉପସ୍ଥାପନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande