
ପୁରୀ, ୬ ଜୁଲାଇ (ହି.ସ.)- ଓଡ଼ିଶାର ସହରଗୁଡ଼ିକରେ ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ସୋମବାର ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ୩୭ଟି ପୌରାଞ୍ଚଳରେ ୪୯୪ଟି ନଗର ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ପୁରୀ ଜିଲ୍ଲା ଓସ୍ଵାନ ହଲ୍ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ସମସ୍ତ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି ପଦକ୍ଷେପ ଉନ୍ନତ ସହରାଞ୍ଚଳ ଭିତ୍ତିଭୂମି ନିର୍ମାଣ, ନାଗରିକ ସୁବିଧା ସୁଯୋଗର ବିକାଶ ଏବଂ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ସ୍ଥାୟୀ ତଥା ନାଗରିକ-କେନ୍ଦ୍ରିକ ବିକାଶ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି।
ଏହି ଅବସରରେ, ଦେଶ ଗଠନରେ ଡଃ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଓ ସ୍ମୃତିକୁ ସମ୍ମାନ ଜଣାଇ ରାଜ୍ୟର ୭ଟି ପାର୍କ ଏବଂ ରାସ୍ତାକୁ ତାଙ୍କ ନାମରେ ଉତ୍ସର୍ଗ କରାଯାଇଛି। ମନ୍ତ୍ରୀଙ୍କ ଦ୍ୱାରା ଏହି ୪୯୪ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସହିତ ସେହି ୭ଟି ପାର୍କ ଏବଂ ରାସ୍ତାର ନାମକରଣ କରାଯାଇଥିଲା। ଡଃ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ବେହେରା ସାହି ରାସ୍ତାର ଉନ୍ନତିକରଣ, ବାରିପଦାର ଫରେଷ୍ଟ କଲୋନୀ ପାର୍କ, କଟକର ଟାଉନ ହଲ୍ ନିକଟସ୍ଥ ପାର୍କ, ବ୍ରହ୍ମପୁର ନୀଳକଣ୍ଠ ନଗରର ପ୍ରେମ ନଗରରୁ ମାଙ୍ଗୋ ମାର୍କେଟ ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା, ରାଉରକେଲାର ସିଭିଲ୍ ଟାଉନସିପ୍ ପାର୍କ, ଢେଙ୍କାନାଳର ବସଷ୍ଟାଣ୍ଡରୁ କୋର୍ଟ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଏବଂ ଜଟଣୀର ସରସ୍ୱତୀ ଶିଶୁ ମନ୍ଦିରରୁ ଶ୍ରୀହରି ବିହାର ପର୍ଯ୍ୟନ୍ତ ରାସ୍ତା ସାମିଲ ରହିଛି। ଏହି ସମାବେଶକୁ ସମ୍ବୋଧିତ କରି ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଜନାବଦ୍ଧ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ସମସ୍ତ ସହରାଞ୍ଚଳର ନାଗରିକମାନଙ୍କ ପାଖରେ ଉନ୍ନତ ଭିତ୍ତିଭୂମି ଓ ନାଗରିକ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ସ୍ଥାନୀୟ ଭିତ୍ତିଭୂମିର ଆବଶ୍ୟକତା ପୂରଣ କରିବା ଏବଂ ସହରାଞ୍ଚଳରେ ଉନ୍ନତ ଜନସାଧାରଣଙ୍କ ସୁବିଧା ସୁଯୋଗ ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା' ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ନାଗରିକଙ୍କ ଆବଶ୍ୟକତା ଓ ପ୍ରାଥମିକତା ଆଧାରରେ ଏହି ବିକାଶମୂଳକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଓଡ଼ିଶାର ସହରଗୁଡ଼ିକୁ ଅଧିକ ବାସୋପଯୋଗୀ, ସମାବେଶୀ ଏବଂ ସ୍ଥାୟୀ କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ପ୍ରବଳ ବର୍ଷାକୁ ଦୃଷ୍ଟି ରେ ରଖି ସମସ୍ତ ପୌରସଂସ୍ଥାଗୁଡ଼ିକୁ ପ୍ରସ୍ତୁତ ରହିବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ ଓ ବିଭିନ୍ନ ପୌରସଂସ୍ଥାର ଅଧ୍ୟକ୍ଷ ଆଭାସି ମାଧ୍ୟମରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏହାପରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରାଞ୍ଚଳ ବିକାଶର ସଫଳତାକୁ ନେଇ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଅତିରିକ୍ତ ଶାସନ ସଚିବ ରବୀନ୍ଦ୍ର କୁମାର ସାହୁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ଉଦ୍ଦେଶ୍ୟ, କାର୍ଯ୍ୟାନ୍ୱୟନ ଏବଂ ପ୍ରଗତି ସମ୍ପର୍କରେ ଏକ ଉପସ୍ଥାପନା କରିଥିଲେ।
ଏହି ଅବସରରେ ବିଭିନ୍ନ ପୌରାଞ୍ଚଳରୁ ଆସିଥିବା ପ୍ରତିନିଧିମାନଙ୍କ ସହ ଆଲୋଚନା ମଧ୍ୟ କରାଯାଇଥିଲା। ୩୭ଟି ପୌରାଞ୍ଚଳରେ ୪୯୪ଟି ପ୍ରକଳ୍ପର ଶୁଭାରମ୍ଭ ସହରାଞ୍ଚଳ ଭିତ୍ତିଭୂମିକୁ ମଜବୁତ କରିବା ଏବଂ ନାଗରିକମାନଙ୍କୁ ଉନ୍ନତ ନାଗରିକ ସେବା ଯୋଗାଇବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ମାଧ୍ୟମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶାରେ ଗୁଣାତ୍ମକ ସାର୍ବଜନୀନ ଭିତ୍ତିଭୂମିର ବିକାଶ ଏବଂ ସମୃଦ୍ଧ, ସମାବେଶୀ ତଥା ଜନକଲ୍ୟାଣକାରୀ ସହରାଞ୍ଚଳ ସୃଷ୍ଟି କରିବା ଉପରେ ଲଗାତାର ଧ୍ୟାନ କେନ୍ଦ୍ରୀଭୂତ କରୁଛି। କାର୍ଯ୍ୟକ୍ରମରେ ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା ଯୋଗ ଦେଇଥିଲେ।
ଏହି ଅବସରରେ ମନ୍ତ୍ରୀ ଡା. ମହାପାତ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯୋଜନାର ରୂପରେଖ ଓ ସହରାଞ୍ଚଳ ବିକାଶ ସମ୍ପର୍କରେ ସୂଚନା ଦେଇଥିଲେ।ପୁରୀରେ ୨ ହଜାର ସଂଖ୍ୟା ବିଶିଷ୍ଟ ଏକ ବହୁମୁଖୀ ଅଡିଟୋରିୟମ କରାଯିବା ସହ ଅଠରନଳାର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ପୁରୀ ପୌରପାଳିକାର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ବିଜୟ