ବନ୍ୟା ସ୍ଥିତି ରିପୋର୍ଟ
କେନ୍ଦ୍ରାପଡ଼ା, ୨୨ ଅଗଷ୍ଟ (ହି.ସ.)- ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ—ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଓ ରାଜକନିକାର ୬୭ଟି ଗ୍ରାମ ପଞ୍ଚାୟତ ଅଧୀନ ୧୬୪ଟି ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୨,୪୨,୯୯୨ ଜଣ ଲୋକ ବନ୍ୟା ପ୍
ବନ୍ୟା ସ୍ଥିତି ରିପୋର୍ଟ  =======


କେନ୍ଦ୍ରାପଡ଼ା, ୨୨ ଅଗଷ୍ଟ (ହି.ସ.)- ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ—ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଓ ରାଜକନିକାର ୬୭ଟି ଗ୍ରାମ ପଞ୍ଚାୟତ ଅଧୀନ ୧୬୪ଟି ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୨,୪୨,୯୯୨ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି।

ବନ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ଏଯାବତ୍ ୬୫ଟି ଆଶ୍ରୟ କେନ୍ଦ୍ରକୁ ମୋଟ ୧୦,୫୫୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ୩ଟି କେନ୍ଦ୍ରରେ ୧,୦୫୦ ଜଣ ରହିଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସମୁଦାୟ ୮୧ଟି ମାଗଣା ରୋଷେଇ କେନ୍ଦ୍ର/ରିଲିଫ୍ କେନ୍ଦ୍ର ଖୋଲାଯାଇଥିବା ବେଳେ ଆଜି ୧୯ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ମୋଟ ୧୬,୩୫୧ ଜଣ ରିଲିଫ୍ ଓ ମାଗଣା ରୋଷେଇ ସୁବିଧାରୁ ଉପକୃତ ହୋଇଛନ୍ତି। ଆଜି ୬,୮୪୮ ଜଣଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି।

ରିଲିଫ୍ ସାମଗ୍ରୀ ଭାବେ ଚାଉଳ, ଚୁଡ଼ା, ଗୁଡ଼/ଚିନି, ବିସ୍କୁଟ୍, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଉଛି। ଆଜି ସୁଦ୍ଧା ୪୬୪ କ୍ୱିଣ୍ଟାଲ ଚାଉଳ, ୪୫.୨୫ କ୍ୱିଣ୍ଟାଲ ଚୁଡ଼ା ଏବଂ ୧,୫୫୯ ପ୍ୟାକେଟ୍ ଗୁଡ଼/ଚିନି ବଣ୍ଟନ କରାଯାଇଛି। ଏଥିସହ ୧୧,୫୫୬ ପ୍ୟାକେଟ୍ ବିସ୍କୁଟ୍, ୪୫,୬୨୦ ବୋତଲ ପାନୀୟ ଜଳ ଓ ୧୫,୦୦୦ ପାଣି ପାଉଚ୍ ଯୋଗାଇ ଦିଆଯାଇଛି।

ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ୧୨ଟି ମେଡିକାଲ୍ ଟିମ୍ ନିୟୋଜିତ ଅଛନ୍ତି। ସେହିପରି ୬ଟି ପଶୁ ଚିକିତ୍ସା ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି।

ବନ୍ୟା ଯୋଗୁଁ ୧୩୯ଟି ରାସ୍ତା ପାଣିରେ ବୁଡ଼ି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଦ୍ୟୁତ୍ ବ୍ୟବସ୍ଥାରେ ୮୭୦ ଜଣ ଉପଭୋକ୍ତା ପ୍ରଭାବିତ ହୋଇଥିବା ବେଳେ ୨୩ଟି ଡିଟି ସେଣ୍ଟର ବିଚ୍ଛିନ୍ନ ରହିଛି। ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିରେ ବଡ଼ଧରଣର କ୍ଷୟକ୍ଷତିର ଖବର ନାହିଁ।

ଉଦ୍ଧାର କାର୍ଯ୍ୟ ପାଇଁ ୬ଟି ଏସ.ଆର.ସି. ପାୱାର ବୋଟ୍, ୧୧୨ଟି ଦେଶୀ ଡଙ୍ଗା ଓ ୧୬ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି।

ଜଳସ୍ତର ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ଅଳଭାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୫.୬୫ ମିଟର ରହିଥିବା ବେଳେ ବିପଦ ସଙ୍କେତ ୪.୮୮ ମିଟର। ଗୋପାଳପୁରରେ ଜଳସ୍ତର ୯.୮୦ ମିଟର ଏବଂ ବିପଦ ସଙ୍କେତ ୧୦.୦୫ ମିଟର ରହିଛି। ଇନ୍ଦୁପୁରରେ ୮.୦୦ ମିଟର ଜଳସ୍ତର ରହିଥିବା ବେଳେ ବିପଦ ସଙ୍କେତ ୮.୨୩ ମିଟର। ବୈତରଣୀ ନଦୀର ଆଖୁଆପଦାରେ ଜଳସ୍ତର ୧୭.୨୩ ମିଟର ରହିଛି, ଯାହାର ବିପଦ ସଙ୍କେତ ୧୮.୩୩ ମିଟର। ମୁଣ୍ଡଳୀରେ ୪,୫୩,୦୧୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି। ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଜାରି ରହିବ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande