
ଘଟଗାଁ, ୨୮ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ସରାସପଶି ପଂଚାୟତର ଗୋବରାବେଡ଼ା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଅନିୟମିତତାକୁ ନେଇ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷକମାନେ ଠିକ୍ ସମୟରେ ବିଦ୍ୟାଳୟକୁ ନ ଆସିବା ପ୍ରତିବାଦରେ ଆଜି ଉତ୍ୟକ୍ତ ଗ୍ରାମବାସୀ ତଥା ଅଭିଭାବକ ମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟରେ ନିୟୋଜିତ ଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ନ ରହି ନିୟମିତ ଭାବେ ବିଳମ୍ବରେ ପହଂଚୁଥିବା ଅଭିଯୋଗ ହୋଇଛି। ଶିକ୍ଷକ ମାନଙ୍କ ଏପରି ଅବହେଳା ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ଖୋଲିବା ସମୟରେ ବାହାରେ ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି, ଯାହାଦ୍ୱାରା ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେଉଛି। ବାରମ୍ବାର କହିବା ସତ୍ୱେ କୌଣସି ସୁଧାର ନ ଆସିବାରୁ ଶେଷରେ ବାଧ୍ୟହୋଇ ଗ୍ରାମବାସୀ ଓ ଅଭିଭାବକମାନେ ଏକତ୍ରିତ ହୋଇ ମୁଖ୍ୟ ଫାଟକରେ ତାଲା ଝୁଲାଇ ଦେଇଛନ୍ତି। ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଏବଂ ପ୍ରଶାସନ ତରଫରୁ ଅନିୟମିତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯାଏଁ ବିଦ୍ୟାଳୟ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରିବା ସହ ଶିକ୍ଷକ ଙ୍କୁ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ