

ଭାଗନେଲେ ୧୫୦ରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକା ଖେଳାଳୀ
ବଲାଙ୍ଗୀର, ୨୮ ଅଗଷ୍ଟ(ହି.ସ.) – ଆଜି ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇଣ୍ଡୋର ବେଡ଼ମିଂଟନ ଷ୍ଟାଡିଅମରେ ୟୋନେକ୍ସ-ସନରାଇଜ ଲେଭେଲ- ୩ ଜିଲ୍ଲା ବେଡ଼ମିଂଟନ ଚାମ୍ପିୟନସିପ୍ର ଉଦ୍ଘାଟନ ହୋଇଯାଇଅଛି। ୨ ଦିନ ବ୍ୟାପି ୧୩ ବର୍ଷ, ୧୫ ବର୍ଷ ଓ ୧୭ବର୍ଷରୁ କମ୍ ବାଳକ ବାଳିକାଙ୍କୁ ନେଇ ଆୟୋଜିତ ହେଉଥିବା ଏହି ପ୍ରତିଯୋଗୀତାକୁ ବଲାଙ୍ଗୀରର ବରିଷ୍ଠ ଓକିଲ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। କେବଳ ତୃଣମୂଳ ସ୍ତରର ଖେଳାଳୀ ଯେଉଁମାନେ କି ଓଡ଼ିଶା ରାଜ୍ୟ ବେଡ଼ମିଂଟନ ସଙ୍ଘ ଦ୍ୱାରା ପଂଜିକୃତ ହୋଇନଥିବେ, କେବଳ ସେହି ଖେଳାଳୀଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ ହେଉଥିବାରୁ, ଆୟୋଜକ ଜିଲ୍ଲା ବେଡ଼ମିଂଟନ ସଙ୍ଘ ଓ ଓଡ଼ିଶା ରାଜ୍ୟ ବେଡ଼ମିଂଟନ ସଙ୍ଘର ଏହି ନିଆରା ଉଦ୍ୟମ ଆଗାମୀ ଦିନରେ ବେଡ଼ମିଂଟନ ଖେଳ ଓ ଖେଳାଳୀଙ୍କ ବିକାଶ ଦିଗରେ ଏକ ମାଇଲ ଖୁଂଟ ଭାବେ ସାବ୍ୟସ୍ତ ହେବବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ। ପ୍ରତିଯୋଗିତାରେ ବଲାଙ୍ଗୀର ଜିଲ୍ଲାର ତୁଷୁରା, ସଇଁତଳା, କଂଟାବାଞ୍ଜି, ପାଟଣାଗଡ଼ ବଙ୍ଗୋମୁଣ୍ଡା, ମୁରିବାହାଲ ଳୁଇସିଂହା, ପୁଇଁତଳା ଓ ବଲାଙ୍ଗୀର ପୌରାଂଚଳର ୧୫୦ରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକା ଖେଳାଳୀ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତାର ଚମ୍ପିୟାନ, ରନର୍ସଅପ ଏବଂ ସେମିଫାଇନାଲିଷ୍ଟ ଖେଳାଳୀମାନେ ଲେଭେଲ ୩ ରାଜ୍ୟ ଚମ୍ପିୟାନସିପ ପାଇଁ ବଲାଙ୍ଗୀର ଜିଲ୍ଲା ଦଳରୁ ପ୍ରତିନିଧିତ୍ୱ କରିବେ। ଏଠାରେ ସୂଚନାଯୋଗ୍ୟ ଯେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରୀଡ଼ା ଦିବସକୁ ଆହୁରି ସ୍ମରଣୀୟ କରିବାପାଇଁ ଏବର୍ଷ ଖେଳିବ ଭାରତ, ଜିତିବ ଭାରତ' ଥିମ୍କୁ ନେଇ ସାରାଦେଶରେ ୨୮ ତାରିଖ ଓ ୨୯ ତାରିଖ ଦୁଇଦିନ ବିଭିନ୍ନ ଖେଳର ପ୍ରତିଯୋଗୀତା ଆୟୋଜନ କରାଯାଉଛି। ସେହିକ୍ରମରେ ଜିଲ୍ଲା ବେଡ଼ମିଂଟନ ସଙ୍ଘ ତୃଣମୂଳ ସ୍ତରର ବେଡ଼ମିଂଟନ ଖେଳାଳୀଙ୍କୁ ନେଇ ପ୍ରତିଯୋଗୀତା ମାଧ୍ୟମରେ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାର ଉଦ୍ୟମ ଜାରି ରଖିଛିବୋଲି ବେଡ଼ମିଂଟନ ସଙ୍ଘ ସମ୍ପାଦକ ସୁରୁଲାଲ ମଟାରୀ ସୂଚନା ଦେଇଛନ୍ତି।
ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥିଙ୍କ ବ୍ୟତୀତ ସଙ୍ଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ ସଭାପତି ଘନଶ୍ୟାମ ମିଶ୍ର, ସହସମ୍ପାଦକ ମାନସ ମହାନ୍ତି ଉପଦେଷ୍ଟା ବୀରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ପ୍ରତିଯୋଗିତାର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା, ପେଂଚକ ସିଲେଟ ପ୍ରଶିକ୍ଷକ ଟୁନା ପାତ୍ର ଓ ବୀରବର ସାହୁ ମଂଚସିନ ଥିଲେ। ପ୍ରତିଯୋଗିତାର ସଫଳ ପରିଚାଳନା ପାଇଁ ମୁଖ୍ୟ ରେଫରୀ ଭାବେ ଚନ୍ଦ୍ର ଶେଖର ମିଶ୍ର, ମେଚ କଂଟ୍ରୋଲର ଅନନ୍ତ ବେହେରା, ହେମନ୍ତ ପଧାନ, ପବନ ସାହୁ, ରଂଜିତ ମେହେର, ମାନସ ବକୁଳ, ସୌରଭ ପ୍ରଧାନ, ଉପେନ୍ଦ୍ର ଚନ୍ଦନ, ଦେବବ୍ରତ କଦମ, ରାଜକିଶୋର ଶତପଥି, ଜିତେଶ୍ୱରୀ ରଣା, ସୋମେଶ ଆଚାର୍ଯ୍ୟ, ପ୍ରକାଶ ସାହୁ, ମୁକେଶ ରଣା, ବିନୋଦିନୀ ଠେଲା, ଉଲେସ ସେଠ, ବିଜୟନନ୍ଦ ପଟେଲ, ରେଖା ମନହିରା, ପ୍ରତିଯୋଗିତା ସଂଯୋଜକ ସୁରେନ୍ଦ୍ର ନେପାଳ, ଚିତରଞ୍ଜନ ସାହୁ, ଗଜାନନ ଦାସ, କାସିମ ଖାନ ପ୍ରମୁଖ ଦାୟିତ୍ୱରେ ଅଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ