ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ ପ୍ରମୋଦ ନାମା ଆୟୋଜିତ
ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ ପ୍ରମୋଦ ନାମା
ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ ପ୍ରମୋଦ ନାମା


ସମ୍ବଲପୁର, ୩୦ ଅଗଷ୍ଟ (ହି.ସ.)- ସମ୍ବଲପୁର ସହରର ପ୍ରମୋଦ ତ୍ରିପାଠୀ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ ପ୍ରମୋଦ ନାମା ଆୟୋଜିତ ହୋଇଯାଇଛି l ସ୍ମୃତି ସଂସଦର ଆବାହକ ବିଶିଷ୍ଠ ନାଟ୍ୟବିତ ଡ଼. ଦ୍ୱାରିକା ନାଥ ନାୟକଙ୍କ ପରିଚାଳନାରେ ସମ୍ବଲପୁର କଳା କେନ୍ଦ୍ର ସଭାଗୃହରେ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ସଂସ୍କୃତି ଗବେଷକ ଡ଼. ଶ୍ୟାମସୁନ୍ଦର ଧର l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ୟଙ୍ଗକବି ତଥା ଅଭିନେତା ମନୋରଞ୍ଜନ ସାହୁ, ମୁଖ୍ୟବକ୍ତା ଭାବରେ ପ୍ରଧ୍ୟାପକ ଡ଼. ରଞ୍ଜନ ସେଠୀ, ସମ୍ମାନିତ ଅତିଥି ଭାବରେ ଅଭିନେତା ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଦାସ ଓ ନାଟ୍ୟ ସମାଲୋଚକ ମୋହନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ନାଟ୍ୟ କ୍ଷେତ୍ରରେ ଅଶେଷ ଅବଦାନ ପାଇଁ ତଥା ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ନାଟକ ସହ ଜଡିତ ନାଟ୍ୟ ପ୍ରତିଭା ପୂର୍ଣ୍ଣଚନ୍ଦ୍ର ଦାସ ଓ ନାଟ୍ୟକାର ଓ ନିର୍ଦେଶକ ବ୍ରଜେନ୍ଦ୍ର ନାୟକଙ୍କୁ ପ୍ରମୋଦ ତ୍ରିପାଠୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ଉପସ୍ଥିତ ବକ୍ତାମାନେ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ନାଟ୍ୟ ସୃଷ୍ଟି ବିଷୟରେ ଆଲୋକପାତ କରିବା ସହ ନାଟ୍ୟକାରଙ୍କ ନାଟକ ଗୁଡିକର ଆହୁରି ଗବେଷଣା ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ l ତାଙ୍କର ନାଟକ ଗୁଡିକରେ ବିଶେଷ ଭାବରେ ଯେଉଁ ଦର୍ଶନୀୟ ଭାବ ଓ ଆବେଗ ଥିଲା ତାହା ଏବେ ବହୁ ବିରଳ ବୋଲି କହିଥିଲେ l

ଏହି ଅବସରରେ ନାଟ୍ୟକାର ତ୍ରିପାଠୀଙ୍କର ବାଲ୍ୟବନ୍ଧୁ ବିଶିଷ୍ଟ ସାହିତ୍ୟିକ ପ୍ରଦୀପ ପଣ୍ଡା ମଧ୍ୟ ତାଙ୍କର ନାଟକରେ ସାମ୍ୟବାଦୀ ଦର୍ଶନ ଉପରେ ମତବ୍ୟକ୍ତ କରିଥିଲେ l ଏଥି ସହ ଆଗାମୀ ଦିନରେ ପ୍ରମୋଦ ତ୍ରିପାଠୀଙ୍କ ନାଟକ ଗୁଡିକର ମଞ୍ଚସ୍ଥ ହେବାର ଯୋଜନା ପ୍ରସ୍ତୁତ କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା l ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ବୃନ୍ଦାବନ ମିଶ୍ର l

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande