
ଭୁବନେଶ୍ୱର, 30 ଅଗଷ୍ଟ (ହି.ସ.)ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର, ଶିକ୍ଷାର ମାନବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ପାସ୍ ହାର ସୁନିଶ୍ଚିତ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଚିଲିକା ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଶିକ୍ଷଣ ଦକ୍ଷତା, ପାଠପଢ଼ାର ଗୁଣବତ୍ତା, ପରୀକ୍ଷା ପ୍ରସ୍ତୁତି ଏବଂ ପୂର୍ବ ପରୀକ୍ଷା ଫଳାଫଳ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଯେଉଁ ବିଦ୍ୟାଳୟଗୁଡ଼ିକର ପରୀକ୍ଷା ଫଳାଫଳ ଆଶାନୁରୂପ ହୋଇନାହିଁ, ସେଠାରେ ଏହାର କାରଣ ଚିହ୍ନଟ କରି ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି ସହ ଦୁର୍ବଳ ବିଷୟଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବା, ଆବଶ୍ୟକ ସ୍ଥଳରେ ଅତିରିକ୍ତ ଶିକ୍ଷାଦାନ ଓ ଅଭ୍ୟାସ କାର୍ଯ୍ୟକ୍ରମ କରିବା ଏବଂ ନିୟମିତ ପରୀକ୍ଷା ଓ ମୂଲ୍ୟାୟନ କରିବା ନେଇ ଆଲୋଚନା ହୋଇଥିଲା।
ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ପ୍ରତିଭା, ସାମର୍ଥ୍ୟ ଓ ଦକ୍ଷତା ଅନୁଯାୟୀ ଆଗକୁ ବଢ଼ିବାର ସୁଯୋଗ ପାଇବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। କୌଣସି ଛାତ୍ରଛାତ୍ରୀ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ବିଦ୍ୟାଳୟଗୁଡ଼ିକର ଫଳାଫଳକୁ ଆଗାମୀ ଦିନରେ ଆହୁରି ଉତ୍କୃଷ୍ଟ କରିବା ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ତ୍ରିପାଠୀଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ଏବଂ ସମସ୍ତ ସିଆରସିସି ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ